Thu. Oct 23rd, 2025

ନ୍ୟୁଜ ଡେକ୍ସ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝରର କେନ୍ଦ୍ରପତ୍ର ଡିଭିଜନର ଡିଏଫ୍ଓ ନିତ୍ୟାନନ୍ଦ ନାୟକଙ୍କୁ ଗିରଫ । ସୋମବାର ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ରବିବାର ଏବଂ ସୋମବାର ଚଢ଼ଉ ବେଳେ ତାଙ୍କ ଘରୁ ନଗଦ ସାଢ଼େ ୧୦ ଲକ୍ଷ ଟଙ୍କା, ରିଭଲଭର୍, ବିଭିନ୍ନ ବ୍ୟାଙ୍କ୍ ଖାତା ଏବଂ ଜମିଜମା କାଗଜପତ୍ର ଜବତ ହୋଇଛି । ଏକାଧିକ ବ୍ୟାଙ୍କ୍ ରେ ୫୦ ଲକ୍ଷରୁ ଅଧିକ ଟଙ୍କା ଜମା ଥିବା ନେଇ ଭିଜିଲାନ୍ସ ଟିମ୍ ଜାଣିବାକୁ ପାଇଛି ।

ସୋମବାର ଡିଏଫ୍ଓଙ୍କୁ ଭିଜିଲାନ୍ସ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରାଯାଇଛି । ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଭିଜିଲାନ୍ସର ବିଜ୍ଞପ୍ତି ଅନୁଯାୟୀ, ସେ ତାଙ୍କ ବେଆଇନ ଅର୍ଥରେ ବହୁ ସଂଖ୍ୟକ ପ୍ଲଟ୍ କିଣିଥିବା ସନ୍ଦେହ କରାଯାଉଛି । ଶ୍ରୀ ନାୟକଙ୍କର ଅନୁଗୁଳରେ ଏକ ବହୁତଳ କୋଠା, ଅନୁଗୁଳଜିଲ୍ଲାବନ୍ତଳା ଥାନା ଅନ୍ତର୍ଗତ ମଦନମୋହନ ପାଟଣାର ପୈତୃକ ଘର, ଅନୁଗୁଳ ଜଗନ୍ନାଥପୁରରେ ଥିବା ଶ୍ବଶୁର ଘର, କେନ୍ଦୁଝରରେ ଥିବା ସରକାରୀ ବାସଭବନ, ନୟାଗଡ଼ ଜିଲ୍ଲା କୋମଣ୍ଡରେ ପୁଅ ରହୁଥିବା ଘର, ନୟାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶ୍ରୀ ନାୟକଙ୍କ ପୁଅର ଅଫିସରେ ଭିଜିଲାନ୍ସ ଖୋଳାତାଡ଼ ଜାରି ରଖିଛି ।

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଡିଏଫ୍‌ଓ ଶ୍ରୀ ନାୟକଙ୍କ ନାମରେ ୫୩ଟି ପ୍ଲଟ୍‌, ତାଙ୍କ ପତ୍ନୀଙ୍କ ନାମରେ ୪୨ଟି ପ୍ଲଟ୍‌, ଦୁଇପୁଅଙ୍କ ନାମରେ ୧୬ଟି ପ୍ଲଟ୍‌, ଝିଅଙ୍କ ନାମରେ ୪ଟି ପ୍ଲଟ୍‌ ରହିଛି । ସୁନା ଗହଣା ଓ ୧.୧୯ଲକ୍ଷ ଟଙ୍କା ଜବତ ହୋଇଛି ।

Leave a Reply

Your email address will not be published. Required fields are marked *