ନ୍ୟୁଜ ଡେକ୍ସ : ଘରୋଇ ବିମାନ ସେବା ପ୍ରଦାନକାରୀ କଂପାନି ଇଣ୍ଡିଗୋ ଶୀତକାଳୀନ ବିମାନ ଚଳାଚଳ ସୂଚୀରେ ୭୧୭ଟି ସ୍ଲଟ୍ ଛାଡ଼ିବାକୁ ବାଧ୍ୟ ହୋଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର କଠୋର ନିର୍ଦ୍ଦେଶ ପରେ ଇଣ୍ଡିଗୋ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଏହାର ସର୍ବାଧିକ ପ୍ରଭାବ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଓ ହାଇଦ୍ରାବାଦ—ଏହି ୬ଟି ମୁଖ୍ୟ ମେଟ୍ରୋ ବିମାନବନ୍ଦରରେ ପଡ଼ିବ।
ମୋଟ ୭୧୭ଟି ସ୍ଲଟ୍ ମଧ୍ୟରୁ ୩୬୪ଟି ସ୍ଲଟ୍ ଏହି ଛଅଟି ମେଟ୍ରୋ ସହରରେ ରହିଛି। ସବୁଠୁ ଅଧିକ ସ୍ଲଟ୍ ହାଇଦ୍ରାବାଦ ଓ ବେଙ୍ଗାଲୁରୁ ବିମାନବନ୍ଦରରେ ଛାଡ଼ାଯାଇଛି। ଏହାର ଅର୍ଥ, ଏହି ସହରଗୁଡ଼ିକୁ ଓ ଏଠାରୁ ହେଉଥିବା ଇଣ୍ଡିଗୋର ବିମାନ ସେବାରେ ଲକ୍ଷଣୀୟ ହ୍ରାସ ଦେଖିବାକୁ ମିଳିବ।ସ୍ଲଟ୍ କହିଲେ ବିମାନବନ୍ଦରରେ ଏକ ନିର୍ଦ୍ଦିଷ୍ଟ ସମୟକୁ ବୁଝାଯାଏ, ଯେଉଁ ସମୟରେ କୌଣସି ଏୟାରଲାଇନ୍ର ବିମାନ ଉଡ଼ାଣ କରେ କିମ୍ବା ଅବତରଣ କରେ। ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଇଣ୍ଡିଗୋ ଏହି ସ୍ଲଟ୍ଗୁଡ଼ିକୁ ଛାଡ଼ିବ। ୨୦୨୫-୨୬ ଶୀତକାଳୀନ ସୂଚୀ ଅନୁଯାୟୀ, ଇଣ୍ଡିଗୋକୁ ସପ୍ତାହରେ ୧୫,୦୧୪ଟି ବିମାନ ଉଡ଼ାଣର ଅନୁମତି ମିଳିଥିଲା, ଯାହାର ଅର୍ଥ ଦିନକୁ ପ୍ରାୟ ୨,୧୪୪ଟି ସ୍ଲଟ୍। କିନ୍ତୁ ଡିଜିସିଏ ଦ୍ୱାରା ୧୦ ପ୍ରତିଶତ ହ୍ରାସ ନିଷ୍ପତ୍ତି ପରେ ଏହି ସଂଖ୍ୟା ଦୈନିକ ୧,୯୩୦କୁ କମିଯିବ।ଏହି ସ୍ଥିତି ପଛରେ ମୁଖ୍ୟ କାରଣ ହେଉଛି ସରକାର ଦ୍ୱାରା ନୂଆ ଫ୍ଲାଇଟ ଡ୍ୟୁଟି ଟାଇମ ଲିମିଟେସନ୍ସ (ଏଫ୍ଡିଟିଏଲ୍) ନିୟମ ଲାଗୁ କରାଯିବା।
ଏହା ପରେ ଇଣ୍ଡିଗୋ ପାଇଲଟ୍ ଓ କ୍ରୁ ପରିଚାଳନା ଠିକ୍ ଭାବରେ କରିପାରିନଥିଲା। ଫଳସ୍ୱରୂପ ପ୍ରତିଦିନ ଶହ ଶହ ବିମାନ ଉଡ଼ାଣ ବାତିଲ ଓ ବିଳମ୍ବ ହେଉଥିଲା। ଯାତ୍ରୀମାନେ ଭାରି ଅସୁବିଧାର ସମ୍ମୁଖୀନ ହେବା ସହ ବିମାନ ସେବା ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ।ଏହି ପରିସ୍ଥିତିକୁ ଗୁରୁତ୍ୱ ଦେଇ ଡିଜିସିଏ କଠୋର ପଦକ୍ଷେପ ନେଇ ଇଣ୍ଡିଗୋର ସ୍ଲଟ୍ କମାଇ ଦେଇଛି।
ଯେଉଁ ସ୍ଲଟ୍ଗୁଡ଼ିକୁ ଇଣ୍ଡିଗୋ ଛାଡ଼ିଛି, ସେଗୁଡ଼ିକୁ ସରକାର ଅନ୍ୟ ଏୟାରଲାଇନ୍ମାନଙ୍କୁ ବଣ୍ଟନ କରିଛନ୍ତି, ଯାହାଦ୍ୱାରା ବିମାନ ସଂଯୋଗ ଅଟୁଟ ରହିବ ଓ ଯାତ୍ରୀଙ୍କ ଯାତ୍ରା ବାଧାପ୍ରାପ୍ତ ହେବ ନାହିଁ।ଡିଜିସିଏର ଏହି କଠୋର ନିଷ୍ପତ୍ତି ଭବିଷ୍ୟତରେ ଏୟାରଲାଇନ୍ଗୁଡ଼ିକୁ ନିୟମ ମାନି ଚାଲିବାକୁ ଏବଂ ଯାତ୍ରୀ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସତର୍କ ବାର୍ତ୍ତା ଭାବରେ ଦେଖାଯାଉଛି।

