ନ୍ୟୁଜ ଡେକ୍ସ : ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଗାଁରେ ଡିଜେର ଅତ୍ୟଧିକ ଛାତିଥରା ସାଉଣ୍ଡ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସ୍ କଠୋର ଅଭିଯାନ ଆରମ୍ଭ କରିଛି। ଘଟଣାରେ ସମ୍ପୃକ୍ତ ଡିଜେ ଗାଡିକୁ ତିଗିରିଆ ପୋଲିସ୍ ଜବତ କରିବା ସହ ଡିଜେ ଅପରେଟରକୁ ମଧ୍ୟ ଗିରଫ୍ କରିଛି।ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ନୂଆପାଟଣା ସୁରେନ୍ଦ୍ରପାଟଣା ଦେଇ ଯାଉଥିବା ଗୋଟିଏ ବାହାଘର ପ୍ରସେସନରେ ଅତ୍ୟଧିକ ଶବ୍ଦ ଓ ଭାଇବ୍ରେସନ୍ ସହ ଡିଜେ ବଜାଯାଉଥିଲା।
ଏହି ଭୟଙ୍କର ସାଉଣ୍ଡ ସହ୍ୟ କରିନପାରି ଗ୍ରାମର ଲକ୍ଷ୍ମୀଧର ଚନ୍ଦ “ଛାତି କଣ ହେଇଯାଇଛି” ବୋଲି କହି ହଠାତ୍ ଟଳି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ପରେ କ୍ଷତିପୂରଣ ଓ ଦୋଷୀଙ୍କ ଗିରଫ୍ ଦାବିରେ ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ। ଏହି ମଧ୍ୟବେଳେ ଡିଜେ ଗାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ତେବେ ତିଗିରିଆ ପୋଲିସ୍ର ଏକ ସ୍ୱତନ୍ତ୍ର ଟିମ୍ ଶନିବାର ରାତିରେ ଅନୁଗୁଳ ଅଞ୍ଚଳରେ ଚଡ଼ାଉ କରି ଡିଜେ ଗାଡିକୁ ଜବତ କରିଥିଲା। ଏହାସହ ଡିଜେ ଅପରେଟରକୁ ଗିରଫ୍ କରାଯାଇଥିବା ବିଷୟରେ ତିଗିରିଆ ଥାନାର ଭାରପ୍ରାପ୍ତ ଅଧିକାରୀ ଇପସିତା ପ୍ରିୟଦର୍ଶିନୀ ସୂଚନା ଦେଇଛନ୍ତି। ଘଟଣାକୁ ନେଇ ଅଧିକ ତଦନ୍ତ ଚାଲିଥିବା ବେଳେ, ଉଚ୍ଚ ଶବ୍ଦ ଡିଜେ ବ୍ୟବହାର ବିରୋଧରେ ପୋଲିସ୍ ଆହୁରି କଠୋର ପଦକ୍ଷେପ ନେବାକୁ ସଙ୍କେତ ଦେଇଛି।

