Sun. Feb 22nd, 2026

ନ୍ୟୁଜ ଡେକ୍ସ : ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗତ ବର୍ଷ ଡିସେମ୍ବର ମାସରେ ବ୍ୟାପକ ଭାବରେ ଉଡ଼ାଣ ବାତିଲ କରାଯାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଅସୁବିଧାରେ ପକାଇଥିବା ଅଭିଯୋଗରେ DGCA ଇଣ୍ଡିଗୋ ଉପରେ ମୋଟ ୨୨.୨ କୋଟି ଟଙ୍କାର ଜରିମାନା ଲଗାଇଛି।

ଡିଜିସିଏ ଜାରି କରିଥିବା ବିବୃତ୍ତି ଅନୁସାରେ, ଡିସେମ୍ବର ମାସରେ କ୍ରୁ ଡ୍ୟୁଟି ସମୟ ସୀମା (FDTL) ନିୟମ ଓ ଶୀତକାଳୀନ ସୂଚୀକୁ ଠିକ୍ ଭାବେ ଲାଗୁ କରିବାରେ ଇଣ୍ଡିଗୋ ପରିଚାଳନା ଭାରି ଅସଫଳ ହୋଇଥିଲା। ଏହାର ପରିଣାମ ସ୍ୱରୂପ ପ୍ରାୟ ୧୦ ଦିନ ଧରି ହଜାର ହଜାର ଉଡ଼ାଣ ବାତିଲ ଓ ବିଳମ୍ବିତ ହୋଇଥିଲା। ବିଭିନ୍ନ ବିମାନବନ୍ଦରରେ ଯାତ୍ରୀମାନେ ଘଣ୍ଟାଘଣ୍ଟା ଧରି ଅଟକି ରହିଥିବା ବେଳେ, ବିମାନ ଭଡ଼ା ମୂଲ୍ୟ ମଧ୍ୟ ଅସାଧାରଣ ଭାବରେ ବୃଦ୍ଧି ପାଇଥିଲା। ଏହି ପରିସ୍ଥିତି ଦେଖି ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ଓ ବିମାନ ଭଡ଼ାର ସର୍ବୋଚ୍ଚ ସୀମା ଘୋଷଣା କରାଯାଇଥିଲା।

ଡିଜିସିଏର ସମୀକ୍ଷା ପରେ ଜଣାପଡ଼ିଛି ଯେ, ଇଣ୍ଡିଗୋ ୬୮ ଦିନ ଧରି ନିୟମ ଉଲ୍ଲଂଘନ କରିଥିଲା, ଯାହା ପାଇଁ ପ୍ରତିଦିନ ୩ ଲକ୍ଷ ଟଙ୍କା ହିସାବରେ ଜରିମାନା ଲଗାଯାଇଛି। ଏହା ସହ ଅନ୍ୟାନ୍ୟ ୬ଟି ନିୟମ ଉଲ୍ଲଂଘନ ପାଇଁ ଅତିରିକ୍ତ ୧.୮ କୋଟି ଟଙ୍କା ଜରିମାନା କରାଯାଇଛି।ଭବିଷ୍ୟତରେ ଏପରି ଅବହେଳା ପୁନରାବୃତ୍ତି ନହେବା ପାଇଁ DGCA ଇଣ୍ଡିଗୋକୁ ୫୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ନିୟମ ମାନିବା ଓ ଯାତ୍ରୀ ସୁବିଧାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ଡିଜିସିଏ ଏହି ଅବସରରେ ସମସ୍ତ ବିମାନ କମ୍ପାନୀଙ୍କୁ ସତର୍କ କରିଛି।

Leave a Reply

Your email address will not be published. Required fields are marked *