ନ୍ୟୁଜ ଡେକ୍ସ : ରାଜ୍ୟରେ ବଢ଼ୁଥିବା ଡ୍ରପ୍ଆଉଟ୍ ହାରକୁ ରୋକିବା ପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଓ କଠୋର ପଦକ୍ଷେପ ନିଆଯାଇଛି। ଏଣିକି କୌଣସି ପିଲା ସ୍କୁଲକୁ ଆସୁନଥିଲେ କିମ୍ବା ୭ ଦିନରୁ ଅଧିକ ସମୟ ଅନୁପସ୍ଥିତ ରହିଲେ, ସମ୍ପୃକ୍ତ ଶିକ୍ଷକ ସେହି ପିଲାର ଘରକୁ ଯାଇ ତାଙ୍କ ଅନୁପସ୍ଥିତିର ପ୍ରକୃତ କାରଣ ଖୋଜିବେ।
ବିଭାଗୀୟ ସୂଚନା ଅନୁଯାୟୀ, ଶିକ୍ଷକ ପିଲାଙ୍କ ଅଭିଭାବକଙ୍କ ସହ ସାକ୍ଷାତ୍କାର କରି ପିଲା କାହିଁକି ସ୍କୁଲ ଆସୁନାହିଁ ତାହା ଜାଣିବେ ଏବଂ ସମସ୍ୟା ସମାଧାନ ପାଇଁ ଅଭିଭାବକଙ୍କୁ ବୁଝାଇ ପିଲାକୁ ପୁଣି ସ୍କୁଲରେ ଭର୍ତ୍ତି କରିବାକୁ ଉଦ୍ୟମ କରିବେ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ସହ ଚିଠି ପଠାଯାଇଛି।ଗତ କିଛି ମାସ ତଳେ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଡ୍ରପ୍ଆଉଟ୍ ପିଲାଙ୍କ ସଂଖ୍ୟା ବଢୁଥିବା ନେଇ ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଥିଲା।
ଏହା ପରେ ଗଣଶିକ୍ଷା ବିଭାଗ ଏହି ସମସ୍ୟାକୁ ଗୁରୁତ୍ୱ ସହ ନେଇ ଏଭଳି ରଣନୀତି ତିଆରି କରିଛି, ଯାହା ମାଧ୍ୟମରେ ସ୍କୁଲଛାଡ଼ା ପିଲାମାନଙ୍କୁ ପୁଣି ଶିକ୍ଷାର ମୂଳସ୍ରୋତକୁ ଫେରାଇ ଆଣାଯିବ। ରାଜ୍ୟ ସରକାରର ଏହି ପଦକ୍ଷେପ ଶିକ୍ଷା ହାର ବୃଦ୍ଧି ସହିତ ପ୍ରତ୍ୟେକ ଶିଶୁକୁ ଶିକ୍ଷାର ଅଧିକାର ସୁନିଶ୍ଚିତ କରିବା ଦିଗରେ ଏକ ପ୍ରଶଂସନୀୟ ଉଦ୍ୟମ ବୋଲି ଶିକ୍ଷାବିଦ୍ମାନେ ମତ ପ୍ରକାଶ କରିଛନ୍ତି।

