ନ୍ୟୁଜ ଡେକ୍ସ : ରାଜ୍ୟରେ ବଢ଼ୁଥିବା ଡ୍ରପ୍ ଆଉଟ୍ ହାରକୁ ଦୃଷ୍ଟିରେ ରଖି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଓ ଦୂରଦର୍ଶୀ ପଦକ୍ଷେପ ନେଇଛନ୍ତି। ୧୪ରୁ ୧୮ ବର୍ଷ ବୟସର ଯେଉଁ ଛାତ୍ରଛାତ୍ରୀମାନେ ମଧ୍ୟରେ ପାଠପଢ଼ା ଛାଡ଼ିଦେଇଛନ୍ତି, ସେମାନଙ୍କୁ ପୁନର୍ବାର ଶିକ୍ଷା ବ୍ୟବସ୍ଥାରେ ଆଣିବା ପାଇଁ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ (OSOS)ରେ ପ୍ରବେଶ ଏବଂ ପରୀକ୍ଷା ଫି ପୂର୍ଣ୍ଣ ଭାବେ ମାଫ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସଂପର୍କରେ ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।
ଏହି ପଦକ୍ଷେପ ମାଧ୍ୟମରେ ଶିକ୍ଷା ଛାଡ଼ି ଦେଇଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପୁନଃ ମୂଖ୍ୟଧାରାରେ ଆଣିବା ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ମୁକ୍ତ ବିଦ୍ୟାଳୟରେ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଏବେ କୌଣସି ଅର୍ଥିକ ଭାର ବିନା ପୁନଃ ତାଙ୍କ ଶିକ୍ଷା ଆରମ୍ଭ କରିପାରିବେ।ଏହା ସହିତ ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଉପରେ କଡ଼ା ନଜର ରଖିବାକୁ କ୍ଷେତ୍ରୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି। ଯଦି କୌଣସି ଛାତ୍ରଛାତ୍ରୀ ଗୋଟିଏ ସପ୍ତାହ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ସ୍କୁଲରେ ଅନୁପସ୍ଥିତ ରହନ୍ତି, ତେବେ ସେମାନଙ୍କ ଘରକୁ ଯାଇ ପରିସ୍ଥିତି ଜାଣିବାକୁ ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୀର୍ଘ ସମୟ ଧରି ଅନୁପସ୍ଥିତିର କାରଣ ବୁଝିବା ସହ ସ୍ଥାୟୀ ଡ୍ରପ୍ ଆଉଟ୍ ରୋକିବା ପାଇଁ ସଂଶୋଧନମୂଳକ ପଦକ୍ଷେପ ନେବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ବିଭାଗ ସ୍ପଷ୍ଟ କରିଛି।ବର୍ତ୍ତମାନ ଡ୍ରପ୍ ଆଉଟ୍ ହାର ଓଡ଼ିଶା ପାଇଁ ଗମ୍ଭୀର ଚ୍ୟାଲେଞ୍ଜ ହୋଇଉଠିଛି।
ଭାରତର ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ (CAG)ଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮ ରୁ ୨୦୨୩ ମଧ୍ୟରେ ଦ୍ୱିତୀୟ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଡ୍ରପ୍ ଆଉଟ୍ ହାର ୩.୧୨ ପ୍ରତିଶତରୁ ୭.୨୬ ପ୍ରତିଶତ ପର୍ଯ୍ୟନ୍ତ ଥିଲା।ଏହା ସହିତ ରାଜ୍ୟରେ ପଛଲା ପାଞ୍ଚ ବର୍ଷ ମଧ୍ୟରେ ୬ରୁ ୧୮ ବର୍ଷ ବୟସର ୬୧,୦୦୦ରୁ ଅଧିକ ପିଲାଙ୍କୁ ପୁନଃ ଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥାକୁ ଫେରାଇ ଆଣାଯାଇପାରିନଥିବା ଅଡିଟ୍ ରିପୋର୍ଟରେ ଉଲ୍ଲେଖ ରହିଛି।ସରକାରଙ୍କ ଏହି ନୂଆ ପଦକ୍ଷେପ ଆଗାମୀ ଦିନରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପୁନଃ ଶିକ୍ଷାର ଆଲୋକରେ ଆଣିବାରେ ମାଇଲ୍ଷ୍ଟୋନ୍ ସାବିତ୍ର ହେବ ବୋଲି ଆଶା କରାଯାଉଛି।

