ନ୍ୟୁଜ ଡେକ୍ସ : ଗ୍ରାମୀଣ ଅଞ୍ଚଳରେ କର୍କଟ ରୋଗର ପ୍ରାଥମିକ ଚିହ୍ନଟ ଏବଂ ସମୟୋଚିତ ଚିକିତ୍ସା ସୁବିଧା ପହଞ୍ଚାଇବା ଲକ୍ଷ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଜାମସେଦପୁର କର୍କଟ ସୋସାଇଟି (JCS) ଓ ଟାଟା ଷ୍ଟିଲର ନିଜସ୍ୱ ହସ୍ପିଟାଲ ମେହେରବାଇ ଟାଟା ମେମୋରିଆଲ ହସ୍ପିଟାଲ (MTMH) ମାଧ୍ୟମରେ ଢେଙ୍କାନାଳ ଜିଲ୍ଲାରେ ଏକ ମୋବାଇଲ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
ସୋମବାର ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା (DHH) ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO) ଡାକ୍ତର ସଞ୍ଜୟ କୁମାର ମହାପାତ୍ର ମୋବାଇଲ କର୍କଟ ସ୍କ୍ରିନିଂ ୟୁନିଟ (MCSU)କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୁଭାରମ୍ଭ ପରେ MTMHର ମେଡିକାଲ ଅଙ୍କୋଲୋଜି ଟିମର ମେଡିକାଲ ଅଫିସର ଡାକ୍ତର ପ୍ରାଚୀ ସିଂ କର୍କଟ ସ୍କ୍ରିନିଂ ପଦ୍ଧତି ସମ୍ପର୍କରେ ପ୍ରାୟୋଗିକ ପ୍ରଦର୍ଶନ କରିଥିଲେ।ଏହି ଅବସରରେ ଡାକ୍ତର ରଞ୍ଜନ କୁମାର ସାମଲ, ବିନାୟକ ପାଣିଗ୍ରାହୀ (ହସ୍ପିଟାଲ ମ୍ୟାନେଜର), ଟାଟା ଷ୍ଟିଲ ଫାଉଣ୍ଡେସନର ପ୍ରତିନିଧିମାନେ ଏବଂ MTMH ମୋବାଇଲ କର୍କଟ ସ୍କ୍ରିନିଂ ଟିମର ସଦସ୍ୟମାନେ ଉପସ୍ଥିତ ଥିଲେ।
ଜାନୁଆରୀ ୨୦୨୬ରୁ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଦୀର୍ଘମ୍ୟାଦୀ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି କର୍କଟ ଚିକିତ୍ସାରେ ଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ପୂରଣ କରିବା। ସ୍କ୍ରିନିଂ ଓ ସଚେତନତାରୁ ଆରମ୍ଭ କରି ରୋଗ ନିର୍ଣ୍ଣୟ, ଚିକିତ୍ସା ଏବଂ ରେଫରାଲ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱ ଦେବ।କାର୍ଯ୍ୟକ୍ରମରେ ବିଶେଷଭାବେ ମୁଖ କର୍କଟ, ସ୍ତନ କର୍କଟ ଏବଂ ଗର୍ଭାଶୟ କର୍କଟ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ମୋବାଇଲ କର୍କଟ ସ୍କ୍ରିନିଂ ୟୁନିଟ ମାସିକ ଭିତ୍ତିରେ ସ୍କ୍ରିନିଂ ଶିବିର ଆୟୋଜନ କରିବା ସହ ସଚେତନତା ଅଧିବେଶନ ମାଧ୍ୟମରେ କର୍କଟ ପ୍ରତିରୋଧ, ପ୍ରାଥମିକ ସତର୍କତା ଚିହ୍ନ ଏବଂ ନିୟମିତ ସ୍କ୍ରିନିଂର ଗୁରୁତ୍ୱ ବିଷୟରେ ଗ୍ରାମବାସୀଙ୍କୁ ସଚେତନ କରିବ।ଏହା ସହ MTMHର ତାଲିମପ୍ରାପ୍ତ ମାଷ୍ଟର ଟ୍ରେନରମାନେ ଆଶା କର୍ମୀ ଓ ଆଗଧାଡ଼ିର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ଦେଇ ଗ୍ରାମୀଣ ସ୍ତରରେ ସ୍କ୍ରିନିଂ ଏବଂ ରେଫରାଲ୍ ବ୍ୟବସ୍ଥାକୁ ଅଧିକ ମଜବୁତ କରିବେ।
ଯେଉଁ ରୋଗୀମାନଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକତା ରହିବ, ସେମାନଙ୍କୁ MTMHକୁ ରେଫର କରାଯିବା ସହ ଉଚିତ ଚିକିତ୍ସା ପଥ ଏବଂ ସରକାରୀ ସ୍ୱାସ୍ଥ୍ୟ ଯୋଜନାର ସୁବିଧା ମିଳିବାରେ ସହଯୋଗ କରାଯିବ। ଏହି ମୋବାଇଲ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ମାଧ୍ୟମରେ ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର ଗ୍ରାମୀଣ ସମ୍ପ୍ରଦାୟ ପାଇଁ ପ୍ରତିରୋଧକ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ସହ ପ୍ରାଥମିକ କର୍କଟ ଚିହ୍ନଟରେ ଉଲ୍ଲେଖନୀୟ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି।

