ନ୍ୟୁଜ ଡେକ୍ସ : ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅନ୍ତର୍ଗତ କନ୍ଦରସିଂହା ପଞ୍ଚାୟତର କଟରାପଡ଼ା ଗାଁରେ ଏକ ବିଶାଳ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ଅବକାରୀ ବିଭାଗର ମିଳିତ ଟିମ୍ ଏହା ଉପରେ ଚଢ଼ାଉ କରି ପ୍ରାୟ ୩୦ ଲକ୍ଷ ଟଙ୍କାର ବିଦେଶୀ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରିଛି।ଅଭିଯାନ ସମୟରେ ଘଟଣାସ୍ଥଳରୁ ଜଣେ ମହିଳା, ପଦ୍ମିନୀ ନାଏକଙ୍କୁ ଗିରଫ କରାଯାଇଛି।
ତାଙ୍କ ସ୍ବାମୀ, ଯିଏ ଏହି ଅବୈଧ କାରଖାନା ସହ ଜଡିତ ଥିବା ସନ୍ଦେହ, ବର୍ତ୍ତମାନ ଫେରାର ଅଛନ୍ତି।ଅବକାରୀ ବିଭାଗ ଉତ୍ସରୁ ମିଳିଥିବା ସୂଚନା ଅନୁସାରେ, ପରଜଙ୍ଗ, କାମାକ୍ଷାନଗର ଓ ଭୁବନ ଅବକାରୀ ଟିମ୍ ମିଳି ଏହି ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ୩୫୦ ଲିଟର ସ୍ପିରିଟ, ବିଭିନ୍ନ ବ୍ରାଣ୍ଡେଡ୍ ନକଲି ବୋତଲ, କାରାମେଲ, ଲେବୁଲ ଷ୍ଟିକର, ଠିପି, ଏବଂ ମଦ ତିଆରି ମେଶିନ ମଧ୍ୟ ଜବତ କରାଯାଇଛି।
ସୂତ୍ର ମୁତାବକ, ଦୀର୍ଘଦିନ ଧରି ଏହି ଗାଁରେ ନକଲି ବିଦେଶୀ ବ୍ରାଣ୍ଡେଡ୍ ମଦ ତିଆରି ହେଉଥିଲା ଏବଂ ଏହା କେଉଁ ଅଞ୍ଚଳକୁ ଚାଲାଣ ହେଉଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣା ସମ୍ବନ୍ଧରେ ତଦନ୍ତ ଜାରି ରହିଛି। ଅବକାରୀ ବିଭାଗ ଏହି ମାଫିଆ ଜାଲର ମୂଳ ସୁତା ଖୋଜିବା ଉଦ୍ୟମରେ ରହିଛି।

