ନ୍ୟୁଜ ଡେକ୍ସ : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ୍ ଅନ୍ତର୍ଗତ ବିଶ୍ଵନାଥପୁର ଆଦର୍ଶ ବିଦ୍ୟାଳୟରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଜଣ୍ଡିସ୍ ଆକ୍ରାନ୍ତ ହେବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଘଟଣାକୁ ଗୁରୁତ୍ୱ ଦେଇ ସିଡିଏମଓଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ମେଡିକାଲ ଟିମ୍ ସ୍କୁଲର ୧୯୭ ଜଣ ଛାତ୍ରଛାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ କରିଥିବା ବେଳେ ପାଣି ଓ ମଧ୍ୟାହ୍ନ ଭୋଜନର ନମୁନା ମଧ୍ୟ ପରୀକ୍ଷା ପାଇଁ ନିଆଯାଇଛି।
ଦୁଇ ଦିନ ମଧ୍ୟରେ ରିପୋର୍ଟ ଆସିବା ପରେ ଆଉ କେତେ ଛାତ୍ରଛାତ୍ରୀ ଜଣ୍ଡିସ୍ ଆକ୍ରାନ୍ତ ହୋଇଛନ୍ତି, ସେଥିପାଇଁ ସ୍ପଷ୍ଟ ହେବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି।ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ମଧ୍ୟ ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି କୁହାଯାଇଛି। ଏହା ସହ ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ପାନୀୟ ଜଳ ଯୋଗାଣ ଅଧିକାରୀ ସ୍କୁଲରେ ପହଞ୍ଚି ପାଣିର ଗୁଣମାନ ଓ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିଛନ୍ତି।
ଅନ୍ୟପଟେ, ସ୍କୁଲର ଅବ୍ୟବସ୍ଥା, ଦୂଷିତ ପାଣି ଓ ଅସ୍ୱାସ୍ଥ୍ୟକର ପରିବେଶ କାରଣରୁ ଏଭଳି ପରିସ୍ଥିତି ଉଦ୍ଭବ ହୋଇଥିବା ଅଭିଯୋଗ ଛାତ୍ରଛାତ୍ରୀ ଓ ଅଭିଭାବକମାନେ କରିଛନ୍ତି। ରିପୋର୍ଟ ଆସିବା ପରେ ଘଟଣାର ସଠିକ୍ କାରଣ ସ୍ପଷ୍ଟ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

