Mon. Dec 23rd, 2024

ନ୍ୟୁଜ ଡେକ୍ସ: ଭରତପୁର ଥାନା ଘଟଣାରେ ଦସ୍ତାବିଜ୍ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ । ଯେଉଁକାରଣରୁ ଆଜି ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଦ୍ବାରା ହେବାକୁ ଥିବା ଶୁଣାଣି ସ୍ଥଗିତ ରଖାଯାଇଛି । ଯାହା ଆସନ୍ତା ୧୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ତେଣୁ ଆସନ୍ତା ୮ ପରିବର୍ତ୍ତେ ୧୮ ତାରିଖରେ ଆଗାମୀ ଶୁଣାଣି ଧାର୍ଯ୍ୟ କରାଯାଇଛି । ଘଟଣାର କିଛିଦିନ ପରେ ଭରତପୁର ଥାନା ଭିତରୁ କିଛି ଭିଡିଓ ଭାଇରାଲ୍ ହୋଇଥିଲା ।

ଯେଉଁଥିରେ ସେନାଧିକାରୀଙ୍କ ବାନ୍ଧବୀ ଥାନାରେ ହଙ୍ଗାମା କରୁଥିବାର ଏକାଧିକ ଦୃଶ୍ୟ ଥିଲା । ଏହାଛଡ଼ା ଏକ ଘରୋଇ ହସ୍ପିଟାଲ, ଗଣ୍ଡଗୋଳ ସ୍ଥଳ ଓ ପବ୍ ଭିତରୁ ମଧ୍ୟ ବେଶ୍ କିଛି ଭିଡିଓ ଭାଇରାଲ ହୋଇଥିଲା । ଏସବୁ ଭାଇରାଲ ଭିଡିଓ ଗୁଡିକ ସତ ନା ଏହାକୁ ଏଡିଟିଂ କରାଯାଇ ତଦନ୍ତକୁ ଦିଗହରା କରାଯାଇଛି, ତାକୁ ନେଇ ପ୍ରଶ୍ନ ଉଠିଥିଲା । ତେଣୁ ଏ ସବୁ ଭିଡିଓର ସତ୍ୟାସତ୍ୟ ପ୍ରମାଣିତ କରିବାକୁ କ୍ରାଇମ୍ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ କମିଶନ । ଶୁକ୍ରବାର ସୁଦ୍ଧା ଏହି ତଥ୍ୟ ଦେବାକୁ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ କ୍ରାଇମ୍ବ୍ରାଞ୍ଚ ଏହା ଦାଖଲ କରିପାରିନି । ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରରୁ ଏଥିସଂକ୍ରାନ୍ତୀୟ ରିପୋର୍ଟ ମିଳିନଥିବାରୁ କମିଶନଙ୍କ ନିକଟରେ ତଥ୍ୟ ଦାଖଲ ହୋଇପାରିନଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ଆସନ୍ତା ୧୧ ତାରିଖରେ ଏହି ତଥ୍ୟ ଦାଖଲ କରାଯିବ ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ ମାରିବା ସହ ଦୁର୍ବ୍ୟବହାର କରିବାର ଅଭିଯୋଗ ହୋଇଥିଲା । ସେହି ରାତିରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ କାର୍‌ରେ ଘରକୁ ଫେରୁଥିବା ବେଳେ ଚନ୍ଦକା-ପଥରଗାଡ଼ିଆ ରାସ୍ତାରେ କିଛି ଯୁବକଙ୍କ ସହ ତୁତୁମେଁମେଁ ହୋଇଥିଲା। ଏହାକୁ ନେଇ ସେନା ଅଧିକାରୀ ଓ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିବା ବେଳେ ଥାନା ଅଧିକାରୀ ସେମାନଙ୍କ କଥା ନଶୁଣି ଓଲଟା ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଘଟଣାରେ ଥାନା ଅଧିକାରୀଙ୍କ ସମେତ ୫ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯିବା ପରେ ମୁଖ୍ୟମନ୍ତ୍ରୀ ମାମଲାର ନ୍ୟାୟିକ ତଦନ୍ତ ନିର୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *