Thu. Oct 23rd, 2025

ନ୍ୟୁଜ ଡେକ୍ସ: କାଳବୈଶାଖୀ ପ୍ରଭାବରୁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି । ରାଜ୍ୟରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଛି । କନ୍ଧମାଳରେ ବଡ଼ ଧରଣ କାଳବୈଶାଖୀ ହୋଇଛି । ଏଥିସହ କୋରାପୁଟ ଓ କେନ୍ଦୁଝରରେ ମଧ୍ୟ ବର୍ଷା ହୋଇଥିବାର ଖବର ମିଳିଛି ।

କିନ୍ତୁ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ବଲାଙ୍ଗୀର ଓ ବୌଦ୍ଧରେ ପାରଦ ୪୦ ଡିଗ୍ରୀ ଛୁଇଁଥିବାବେଳେ ଅଧିକାଂଶ ଅଞ୍ଚଳ ଉତ୍ତପ୍ତ ରହିଛି। ବୁଧବାର ବଲାଙ୍ଗୀରରେ ସର୍ବାଧିକ ୪୧ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଛି। ବୌଦ୍ଧରେ ୪୦ ଡିଗ୍ରୀ, ଟିଟିଲାଗଡ଼ ୩୯.୫, ଝାରସୁଗୁଡ଼ା ୩୯, ଭୁବନେଶ୍ବର ୩୫ ଏବଂ କଟକରେ ୩୪.୫ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ୫ ଦିନ ଯାଏଁ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ବୌଦ୍ଧ ଓ ବଲାଙ୍ଗୀରରେ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଗୁରୁବାର ଦିନ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ମାଲକାନାଗିରି, ରାୟଗଡ଼ାର ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି । ତେବେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବା ସହ ବଜ୍ରପାତର ସତର୍କ କରାଯାଇଛି ।

Leave a Reply

Your email address will not be published. Required fields are marked *