ନ୍ୟୁଜ ଡେକ୍ସ: ଏପ୍ରିଲରୁ ଜୁନ୍ ବର୍ଷିବ ନିଆଁ । ବେଶି ଛଟପଟ କରାଇବ ଏପ୍ରିଲ ତାତି । ସ୍ୱାଭାବିକଠାରୁ ଅଧିକ ଲମ୍ବିବ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ୍) ଦିନ ସଂଖ୍ୟା । ବର୍ଷା ସମ୍ଭାବନା ବି କମ୍ । ଏମିତି ପୂର୍ବାନୁମାନ ଚିତ୍ର ଦେଖାଇଛି ଭାରତୀୟ ପାଣିପାଗ ବିଭାଗ ।
ତାତି ଏତେ ବଢ଼ିବ ଯେ ଆସନ୍ତା ୯ ଓ ୧୦ ତାରିଖ ବେଳକୁ ପାରଦ ୪୪-୪୫ ଡିଗ୍ରୀ ସେଲସିୟସ୍ ଛୁଇଁପାରେ। ତେବେ ଆଜିଠୁ ଆଗାମୀ ୫ ଦିନ ଯାଏ ବଦଳିପାରେ ପାଗ। ତାତିରେ ଲାଗିବ ବ୍ରେକ୍। କାଳବୈଶାଖୀ ବର୍ଷା ଆଣିବ ଆଶ୍ବସ୍ତି। ଏପ୍ରିଲ ୬ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି। ଆଜି ଘଡ଼ଘଡ଼ି ସହ ବର୍ଷା ପାଇଁ ୧୦ ଜିଲ୍ଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ବର୍ଷା ବେଳେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ।
ଆସନ୍ତାକାଲି ଅଧିକ ଜିଲ୍ଲାରେ ବର୍ଷା ବପନ ରହିଛି। ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏପ୍ରିଲ ୩ ଓ ୪ ରେ ବର୍ଷାର ପରିମାଣ ବଢ଼ିବ। ଅଧିକ ଜିଲ୍ଲାରେ ବର୍ଷା ହେବ। ତେବେ ଏପ୍ରିଲ ୪ରେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ଦକ୍ଷିଣ ଛତିଶଗଡ଼ରୁ ମଧ୍ୟପ୍ରଦେଶ ବିଦର୍ଭ ପର୍ଯ୍ୟନ୍ତ ଲମ୍ବିଛି ଟ୍ରପ୍ ଲାଇନ। ଏହାର ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ହେବ।
