ନ୍ୟୁଜ ଡେକ୍ସ : ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ତିନିଦିନିଆ ‘ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡ଼ିଶା–୨୦୨୬’କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ, ରାଜ୍ୟର ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆମ ସରକାର ପ୍ରଥମ ବଜେଟ୍ରେ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ର ଶୁଭାରମ୍ଭ କରିଛି, ଯାହା ଓଡ଼ିଶା ପାଇଁ ଏକ ଐତିହାସିକ ପଦକ୍ଷେପ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ୯୨ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର।
ଆଗାମୀ ଦିନରେ ଜମି ହୋଲ୍ଡିଂ କମିବାକୁ ଥିବାରୁ କୃଷି ସହିତ ମାଛ ଚାଷ, ଗୋ-ପାଳନ ଓ ପ୍ରାଣୀପାଳନକୁ ଗ୍ରହଣ କରିବା ଆବଶ୍ୟକ।ସେ କହିଲେ, ୧୪୦୦ କୋଟି ଟଙ୍କା ବ୍ୟୟ ଅଟକଳରେ କାମଧେନୁ ଯୋଜନା ଆରମ୍ଭ ହୋଇଛି। ବିଗତ ଦେଢ଼ ବର୍ଷରେ ରାଜ୍ୟରେ ପୂର୍ବ ତୁଳନାରେ ୧.୩୫ ଲକ୍ଷ ଲିଟର ଅଧିକ ଦୁଗ୍ଧ ଉତ୍ପାଦନ ହୋଇଛି। ଏହାକୁ ଆହୁରି ବୃଦ୍ଧି କରିବା ପାଇଁ ସରକାର ପ୍ରତିବଦ୍ଧ।କାମଧେନୁ ଯୋଜନାରେ ଚାଷୀମାନଙ୍କୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ସହାୟତା ଦିଆଯାଇ ଶଙ୍କର ଜାତୀୟ ଉଚ୍ଚ ଦୁଗ୍ଧ ଉତ୍ପାଦନକାରୀ ଗାଈ ଓ ମଇଁଷି ପାଳନ ପାଇଁ ଉତ୍ସାହିତ କରାଯାଉଛି। ୪.୭୩ ଲକ୍ଷ ହିତାଧିକାରୀଙ୍କୁ ୨୬୨ କୋଟି ଟଙ୍କା ସହାୟତା ଦିଆଯାଇଛି। ଓମ୍ଫେଡ୍ ପକ୍ଷରୁ ଲିଟର ପିଛା ୨ ଟଙ୍କା ଅଧିକ ପ୍ରୋତ୍ସାହନ ମଧ୍ୟ ମିଳୁଛି।
ମାଛ ଉତ୍ପାଦନରେ ଓଡ଼ିଶା ବର୍ତ୍ତମାନ ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ପ୍ରଥମ ସ୍ଥାନ ହାସଲ କରିବାକୁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନା, ବାୟୋଫ୍ଲକ୍ ଓ କେଜ୍ କଲ୍ଚର୍ ପଦ୍ଧତି ଆଦି ଲାଗୁ କରାଯାଇଛି।ପ୍ରାଣୀପାଳକମାନଙ୍କୁ ଉଦ୍ଦେଶ୍ୟ କରି ସେ କହିଥିଲେ ଯେ, ପ୍ରାଣୀପାଳନ ଏକ ଲାଭଦାୟକ ବ୍ୟବସାୟ। ଛେଳି, ଘୁଷୁରି, କୁକୁଡ଼ା ଓ ବତକ ପାଳନ ଭଳି କାର୍ଯ୍ୟ ଗ୍ରହଣ କରି ଚାଷୀମାନେ ଆୟ ବୃଦ୍ଧି କରିପାରିବେ।

