ନ୍ୟୁଜ ଡେକ୍ସ: କଲବଲ କରୁଛି ପ୍ରଦୂଷଣ। ବିଷ ପାଲଟି ଗଲାଣି ବାୟୁ। ଧୂଳି ଓ ଧୂଆଁର ମୋଟା ଚାଦର ତଳେ ରାଜଧାନୀ ଦିଲ୍ଲୀ। ପ୍ରଦୂଷଣ ଲାଗି ଘରୁ ବାହାରିବା ହୋଇପଡିଛି ମୁସ୍କିଲ। ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି ସ୍ଥିତି। ବାୟରୁ ଗୁଣବତ୍ତା ୫୦୦ ପାର୍ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି।
ଏହାକୁ ଦୃଷ୍ଟିରେ ରଖି ଏବେ ସରକାରୀ କର୍ମଚାରୀଙ୍କୁ ଘରକୁ କାମ କରୁବାକୁ ଦିଲ୍ଲୀ ସରକାର କହିଛନ୍ତି। “ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାର ସରକାରୀ କାର୍ଯ୍ୟାଳୟରେ ଘରୁ କାର୍ଯ୍ୟ କରିବା ବା ୱାର୍କ ଫ୍ରମ୍ ହୋମ୍କୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କଲେ କିଛି ମାତ୍ରାରେ ପ୍ରଦୂଷଣକୁ ରୋକାଯାଇପାରେ। ଏହାର କାର୍ଯ୍ୟକାରିତା ପାଇଁ ଆଜି ଅପରାହ୍ନ ୧ଟାରେ ସଚିବାଳୟରେ ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବ।” ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏନେଇ ହିନ୍ଦୀରେ ଏକ ଟ୍ୱିଟ କରିଛନ୍ତି। ବୁଧବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ପାଖାପାଖ ୫୦୦ ଛୁଇଁଛି। ବାୟୁ ପ୍ରଦୂଷଣ ମଧ୍ୟରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ମଙ୍ଗଳବାର ଦିନ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିର୍ଦେଶ ଦେଇଛନ୍ତି।
ପୂର୍ବରୁ ଘରୋଇ କମ୍ପାନୀର କର୍ମଚାରୀଙ୍କୁ ମଧ୍ୟ ଘରୁ କାମ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେପଟେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏନ୍ସିଆର୍ରେ ସମସ୍ତ ସ୍କୁଲ କଲଜେ ମଧ୍ୟ ମଧ୍ୟ ରହିଛି। ଅନ୍ଲାଇନ୍ କ୍ଳାସ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ପରାମର୍ଶ ଦିଆଯାଇଛି। ସେପଟେ ବାୟୁ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବା ନେଇ ବିଚାର କରୁଛନ୍ତି ଦିଲ୍ଲୀ ସରକାର । ଏଥିପାଇଁ ଦିଲ୍ଲୀ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଗତକାଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଏକ ଚିଠି ଜରିଆରେ ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବା ନେଇ ମୋଦିଙ୍କୁ ନିବେଦନ କରିଥିଲେ।