Sun. Feb 22nd, 2026

ନ୍ୟୁଜ ଡେକ୍ସ : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଲଗ୍ନ ପୂର୍ବ ବିଷୁବରେଖା ନିକଟସ୍ଥ ଭାରତ ମହାସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସାଢ଼େ ୫ଟା ସମୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ସଲଗ୍ନ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ଗଠିତ ହୋଇଥିଲା।

ଉପରିସ୍ଥ ଓ ନିମ୍ନସ୍ଥ ବାୟୁ ପ୍ରବାହ, ସମୁଦ୍ର ପୃଷ୍ଠ ତାପମାତ୍ରା ଓ ଆଦ୍ରତାର ପ୍ରଭାବରେ ଏହା ଧୀରେଧୀରେ ସକ୍ରିୟ ହେଉଥିବା ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେଲେ ପରବର୍ତ୍ତୀ ସମୟରେ ଏହା ଅବଦାପ କିମ୍ବା ଗଭୀର ଅବଦାପର ରୂପ ନେଇପାରେ ବୋଲି ଆକଳନ କରାଯାଉଛି। ତେବେ ଏହାର ଗତିପଥ ଓ ପ୍ରଭାବ ସମ୍ପର୍କରେ ଆଗାମୀ କିଛି ଦିନ ମଧ୍ୟରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି ପାଣିପାଗ କେନ୍ଦ୍ର କହିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ଓ ପୂର୍ବ ଭାରତୀୟ ସମୁଦ୍ର ଅଞ୍ଚଳରେ ପବନ ବେଗ ବୃଦ୍ଧି ପାଇବା ସହ ସମୁଦ୍ର ଅସ୍ଥିର ରହିବାର ସମ୍ଭାବନା ରହିଛି।

କିଛି ସ୍ଥାନରେ ଭାରୀ ବର୍ଷା ସହ ବଜ୍ରପାତ ଓ ଜୋର ହାୱା ଚାଲିପାରେ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀମାନଙ୍କୁ ସତର୍କ ରହିବା ସହ ଆଗାମୀ କିଛି ଦିନ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।ପାଣିପାଗ ବିଭାଗ ଆଗାମୀ ସମୟରେ ଲଘୁଚାପର ସ୍ଥିତି, ଗତିପଥ ଓ ପ୍ରଭାବକୁ ନେଇ ନିୟମିତ ଅପଡେଟ୍‌ ଜାରି କରିବ ବୋଲି କହିଛି। ସାଧାରଣ ଲୋକଙ୍କୁ ସରକାରୀ ସୂଚନା ଓ ସତର୍କତାକୁ ଅନୁସରଣ କରିବା ସହ ଅପ୍ରୟୋଜନୀୟ ଗୋସ୍ସା ଉପରେ ଭରସା ନ କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *