ନ୍ୟୁଜ ଡେକ୍ସ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗବଯୋର ଗାଁରେ ଦହିବରା ଖାଇ ୭୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ସାପ୍ତାହିକ ହାଟରେ ଖୋଲିଥିବା ଏକ ଜଳଖିଆ ଦୋକାନରୁ ଦହିବରା ଖାଇବା ପରେ ଗ୍ରାମର ଶିଶୁ ଠାରୁ ବୟସ୍କ ସମସ୍ତେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।ସୂଚନା ଅନୁଯାୟୀ, ଗତକାଲି ଜଣେ ଦହିବରା ବ୍ୟବସାୟୀ ସାପ୍ତାହିକ ହାଟରେ ଦହିବରା ବିକ୍ରି କରିବା ପରେ ଅପରାହ୍ଣ ସମୟରେ ଗବଯୋର ଗାଁକୁ ଯାଇଥିଲେ।
ସେଠାରେ ଗ୍ରାମବାସୀମାନେ ଦହିବରା ଖାଇଥିଲେ। କିନ୍ତୁ ସନ୍ଧ୍ୟା ସମୟରେ ଦହିବରା ଖାଇଥିବା ଲୋକମାନଙ୍କ ମୁଣ୍ଡ ବୁଲାଇବା ସହ ଝାଡା ଓ ବାନ୍ତି ଆରମ୍ଭ ହୋଇଥିଲା।ଖବର ପାଇ ପଳସାଗୋରା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଡାକ୍ତରୀ ଟିମ ତୁରନ୍ତ ଗ୍ରାମରେ ପହଁଚି ଚିକିତ୍ସା ଆରମ୍ଭ କରିଥିଲେ। ଅସୁସ୍ଥଙ୍କ ସଂଖ୍ୟା ଲଗାତାର ବଢ଼ିବାରୁ ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଉ ଏକ ଡାକ୍ତରୀ ଦଳ ଗାଁରେ ପହଁଚିଛି।
ଗୁରୁତର ଅବସ୍ଥାରେ ଥିବା କିଛି ରୋଗୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ଘଟଣା ସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି। ଖାଦ୍ୟ ବିଷାକ୍ତତା ହେବାର ସନ୍ଦେହ କରାଯାଉଥିବା ବେଳେ, ଦହିବରାର ନମୁନା ସଂଗ୍ରହ କରି ତଦନ୍ତ କରାଯାଉଥିବା ସୂଚନା ମିଳିଛି।

