ନ୍ୟୁଜ ଡେକ୍ସ :ପ୍ରସିଦ୍ଧ ପଞ୍ଜାବୀ ଗାୟକ ଓ ଅଭିନେତା ଦିଲଜିତ୍ ଦୋସାଞ୍ଜଙ୍କୁ ଖାଲିସ୍ତାନୀ ଆତଙ୍କବାଦୀ ସଂଗଠନ ଶିଖ୍ସ ଫର୍ ଜଷ୍ଟିସ୍ (SFJ) ତରଫରୁ ଗୁରୁତର ଧମକ ମିଳିଛି। ସଂଗଠନ ତାଙ୍କ ଆସନ୍ତା ନଭେମ୍ବର ୧ ରେ ଅଷ୍ଟ୍ରେଲିଆରେ ହେବାକୁ ଯାଉଥିବା କନସର୍ଟକୁ ବନ୍ଦ କରିବା ଆହ୍ୱାନ ଦେଇଛି।ଧମକର କାରଣ ହେଲା – ଦିଲଜିତ୍ ଦୋସାଞ୍ଜ ଶେଷ ସମୟରେ କୌନ୍ ବନେଗା କରୋଡ଼ପତି କାର୍ୟକ୍ରମରେ ଅଭିନେତା ଅମିତାଭ ବଚ୍ଚନଙ୍କ ପାଦ ଛୁଇଁଥିଲେ।
ଏହି ଘଟଣା ପରେ SFJ ସଂଗଠନ କହିଛି ଯେ, “ଦିଲଜିତ୍ ଦୋସାଞ୍ଜ ଅମିତାଭଙ୍କ ପାଦ ଛୁଇଁ ଶିଖ୍ ସମାଜକୁ ଅପମାନ କରିଛନ୍ତି।”ସଂଗଠନ ଅଭିଯୋଗ କରିଛି ଯେ, ୧୯୮୪ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ହୋଇଥିବା ଶିଖ୍ ବିରୋଧୀ ଦଙ୍ଗା ସମୟରେ ଅମିତାଭ ବଚ୍ଚନ “ଖୁନ୍ କା ବଦଲା ଖୁନ୍” ନାରା ଦେଇ ଲୋକମାନଙ୍କୁ ଉସୁକାଇଥିଲେ। ସେହି ଘଟଣାରେ ପ୍ରାୟ ୩୦ ହଜାର ଶିଖ୍ ନିହତ ହୋଇଥିଲେ ବୋଲି ସଂଗଠନର ଦାବି।SFJ ତରଫରୁ ଜାରି ହୋଇଥିବା ବିବୃତ୍ତିରେ ଲେଖାଯାଇଛି, “ଏହା ଅଜ୍ଞତା ନୁହେଁ, ଏହା ଦୋଷୀମାନଙ୍କ ସହ ସହଯୋଗ କରିବା ଓ ଶିଖ୍ ସମ୍ପ୍ରଦାୟ ପ୍ରତି ଅବିଶ୍ୱାସ ଦେଖାଇବା ଅଟେ। ଯେଉଁ ଦିନ (ନଭେମ୍ବର ୧) ୧୯୮୪ ଶିଖ୍ ଗଣହତ୍ୟାର ସ୍ମୃତି ଦିବସ ଭାବେ ପାଳିତ ହୁଏ, ସେହି ଦିନ କୌଣସି ଶିଖ୍ ସଂଗୀତ ଉତ୍ସବ କିମ୍ବା ଆନନ୍ଦ ଆୟୋଜନ କରିପାରିବେ ନାହିଁ।”
ଏହି ଧମକ ପରେ ଅଷ୍ଟ୍ରେଲିଆ ପୋଲିସ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାରେ ଲାଗିଛି ବୋଲି ଖବର ମିଳିଛି। ତେବେ ଦିଲଜିତ୍ ଦୋସାଞ୍ଜଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।ଦିଲଜିତ୍, ଯିଏ ଭାରତୀୟ ସଙ୍ଗୀତ ଓ ଚଳଚ୍ଚିତ୍ର ଜଗତରେ ଏକ ପ୍ରସିଦ୍ଧ ନାମ, ସେ ନିଜର ପ୍ରଦର୍ଶନ ମାଧ୍ୟମରେ ବିଦେଶରେ ମଧ୍ୟ ଶିଖ୍ ଓ ପଞ୍ଜାବୀ ସଂସ୍କୃତିକୁ ପ୍ରଚାର କରୁଛନ୍ତି। କିନ୍ତୁ SFJ ତରଫରୁ ଆସିଥିବା ଏହି ଧମକ ତାଙ୍କ ଆସନ୍ତା କନସର୍ଟ ଉପରେ ଅସ୍ପଷ୍ଟତା ସୃଷ୍ଟି କରିଛି।

