ନ୍ୟୁଜ ଡେକ୍ସ : ଦେଶର ରାଜଧାନୀ ଦିଲ୍ଲୀରୁ ଆରମ୍ଭ କରି ଗାଁ-ପଲ୍ଲୀ, କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମଗ୍ର ଭାରତ ଆଜି ଗର୍ବ, ଉତ୍ସାହ ଓ ଦେଶଭକ୍ତିର ଆବେଗ ସହ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ସହର ଓ ଗାଁ ସବୁଠି ତ୍ରିରଙ୍ଗା ଫରଫର କରୁଛି, ଦେଶଭକ୍ତିମୟ ଗୀତ ଓ ନାରାରେ ପରିବେଶ ଗୁଞ୍ଜିଉଠିଛି।ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ ଆଜିର ଭବ୍ୟ ପରେଡ୍ ପାଇଁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି।
ସାମରିକ ପରେଡ, ରାଜ୍ୟଗୁଡ଼ିକର ପ୍ରଜ୍ଞାପନ ମେଢ଼, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବାୟୁସେନାର ଫ୍ଲାଇପାଷ୍ଟ ମାଧ୍ୟମରେ ଆଧୁନିକ ଓ ବିକଶିତ ଭାରତର ଚିତ୍ର ପ୍ରଦର୍ଶିତ ହେବ।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଏକ୍ସ (ପୂର୍ବତନ ଟ୍ୱିଟର) ହ୍ୟାଣ୍ଡେଲରେ ଟ୍ୱିଟ୍ କରି କହିଛନ୍ତି—“ଗଣତନ୍ତ୍ର ଦିବସର ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ। ଏହି ଦିବସ ଭାରତର ଗର୍ବ ଏବଂ ଗୌରବର ପ୍ରତୀକ। ଏହି ଜାତୀୟ ପର୍ବ ଆପଣମାନଙ୍କ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଏବଂ ଉତ୍ସାହ ସଞ୍ଚାର କରୁ। ମୁଁ କାମନା କରୁଛି ଯେ ଏକ ବିକଶିତ ଭାରତ ପାଇଁ ସଂକଳ୍ପ ଆହୁରି ଦୃଢ଼ ହେଉ।”ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି—“ଗଣତନ୍ତ୍ର ଦିବସ ଆମର ସ୍ୱାଧୀନତା, ସମ୍ବିଧାନ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ଶକ୍ତିଶାଳୀ ପ୍ରତୀକ।
ଏହି ପର୍ବ ଆମକୁ ଏକ ରାଷ୍ଟ୍ର ଗଠନର ସଂକଳ୍ପ ସହିତ ଏକତ୍ରିତ ହୋଇ ଆଗକୁ ବଢ଼ିବା ପାଇଁ ନୂତନ ଶକ୍ତି ଏବଂ ପ୍ରେରଣା ଦିଏ।”ସମଗ୍ର ଦେଶରେ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ଓ ସାମାଜିକ ସଂଗଠନମାନଙ୍କ ପକ୍ଷରୁ ପ୍ରଭାତ ଫେରୀ, ଦେଶଭକ୍ତିମୟ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପତାକା ଉତ୍ତୋଳନ ସହ ଏହି ଜାତୀୟ ପର୍ବକୁ ଉଲ୍ଲାସର ସହ ପାଳନ କରାଯାଉଛି। ୭୭ତମ ସାଧାରଣତନ୍ତ୍ର ଦିବସ ଦେଶବାସୀଙ୍କ ମନରେ ଏକତା, ଆଶା ଓ ବିକାଶର ନୂଆ ସନ୍ଦେଶ ଦେଇଛି।

