Sat. Feb 21st, 2026

ନ୍ୟୁଜ ଡେକ୍ସ : ସମଗ୍ର ଦେଶ ଆଜି ୭୭ତମ ସାଧାରଣତନ୍ତ୍ର ଦିବସକୁ ଗର୍ବ, ଉତ୍ସାହ ଓ ଦେଶଭକ୍ତିର ଭାବନା ସହ ପାଳନ କରୁଛି। ଦିଲ୍ଲୀର ରାଜପଥରୁ ଆରମ୍ଭ କରି ଗାଁ-ପଲ୍ଲୀ ପର୍ଯ୍ୟନ୍ତ ସବୁଠି ତ୍ରିରଙ୍ଗା ଫରଫର କରି ଉଡୁଛି ଏବଂ ଦେଶମାତୃକା ପ୍ରତି ଶ୍ରଦ୍ଧା ଓ ଗୌରବର ଆବେଗ ସ୍ପଷ୍ଟ ଭାବେ ପ୍ରକାଶ ପାଉଛି।ଓଡ଼ିଶାର ରାଜ୍ୟସ୍ତରୀୟ ସମାରୋହରେ ଗାନ୍ଧୀ ମାର୍ଗରେ ରାଜ୍ୟପାଳ ହରିବାବୁ କମ୍ଭମପତି ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ପତାକା ଉତ୍ତୋଳନ ପରେ ସେ ରଙ୍ଗିନ ପରେଡ୍‌ର ଅଭିବାଦନ ଗ୍ରହଣ କରିଥିଲେ। ଏହି ଭବ୍ୟ ପରେଡ୍‌ରେ ସମୁଦାୟ ୫୪ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରି ଦେଶର ସେବା, ଶାନ୍ତି, ଏକତା ଓ ଶକ୍ତିର ପ୍ରତୀକକୁ ପ୍ରଦର୍ଶନ କରିଥିଲେ।ପରେଡ୍‌ର ଏକ ବିଶେଷ ଆକର୍ଷଣ ଥିଲା ‘ଶ୍ରୀଶକ୍ତି’ ଦଳର ଦମ୍ଦାର ପ୍ରଦର୍ଶନ। ୪୫ ଜଣ ବାଳକ ଓ ୩୫ ଜଣ ବାଳିକା ୭ଟି ବୁଲେଟ୍‌ରେ ସାହସିକ ଭାବରେ ଯାତ୍ରା କରି ‘ଅପରେସନ୍ ସିନ୍ଦୂର’ ବାର୍ତ୍ତା ଦେଇ ଦେଶର ଶକ୍ତି, ସୁରକ୍ଷା ଓ ସାହସର ପ୍ରତୀକ ହୋଇଥିଲେ। ଏହି ଦୃଶ୍ୟ ଦେଖି ସମଗ୍ର ମଞ୍ଚ ତାଳିରେ ଗୁଞ୍ଜି ଉଠିଥିଲା। ରାଜ୍ୟପାଳ ପରେଡ୍‌ର ଅଭିବାଦନ ଗ୍ରହଣ କରି ଦେଶର ସେନା, ପୁଲିସ, ଅର୍ଦ୍ଧସେନା ବାହିନୀ, ଛାତ୍ରଛାତ୍ରୀ ଓ ସାମାଜିକ ସଂଗଠନମାନଙ୍କ ଅବଦାନକୁ ସ୍ମରଣ କରିଥିଲେ।

ସେ କହିଥିଲେ ଯେ, ଭାରତର ସମ୍ବିଧାନ ଆମକୁ ଏକତା, ସମାନତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବାନ୍ଧି ରଖିଛି ଏବଂ ଏହାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ।ସହର ହୋକ କି ଗାଁ, ସମସ୍ତଠାରେ ରଙ୍ଗିନ କାର୍ଯ୍ୟକ୍ରମ, ସାଂସ୍କୃତିକ ପ୍ରଦର୍ଶନ, ପ୍ରଭାତ ଫେରୀ ଓ ଦେଶଭକ୍ତିମୟ ଗୀତରେ ଆକାଶ ପର୍ଯ୍ୟନ୍ତ ଗୁଞ୍ଜି ଉଠିଥିଲା। ୭୭ତମ ସାଧାରଣତନ୍ତ୍ର ଦିବସ ଦେଶବାସୀଙ୍କ ମନରେ ନୂଆ ଆଶା, ଏକତା ଓ ଆଗକୁ ବଢ଼ିବାର ସଂକଳ୍ପକୁ ଆହୁରି ଦୃଢ଼ କରିଦେଇଛି।

Leave a Reply

Your email address will not be published. Required fields are marked *