ନ୍ୟୁଜ ଡେକ୍ସ : ଦିଲ୍ଲୀ କାର୍ ବୋମା ବିସ୍ଫୋରଣ ଘଟଣାକୁ ନେଇ ତଦନ୍ତ ଜୋରଦାର ହୋଇଥିବା ବେଳେ, ଏହାର ସୁତ୍ର ଓଡ଼ିଶାର ଯାଜପୁର ଓ ଭଦ୍ରକ ସହ ଯୋଡ଼ି ହୋଇଛି। ଆତଙ୍କବାଦୀମାନେ ବ୍ୟବହାର କରିଥିବା ମୋବାଇଲ୍ ସିମ୍ ଯାଜପୁର ଓ ଭଦ୍ରକରୁ କିଣାଯାଇଥିବା ତଥ୍ୟ ମିଳିବା ପରେ ଦିଲ୍ଲୀ ପୋଲିସ ଏହି ମାମଲାରେ ଗଭୀର ତଦନ୍ତ ଆରମ୍ଭ କରିଛି।
ଏହି ପ୍ରସଙ୍ଗରେ କାଲି ରାତିରେ ଦିଲ୍ଲୀ ସାହିନବାଗ ଥାନା ପୋଲିସ ଯାଜପୁର ଓ ଭଦ୍ରକର ମଞ୍ଜୁରୀରୋଡ୍ ବଜାରରେ ଚଢ଼ଉ କରି ୨ ଜଣ ମୋବାଇଲ୍ ଦୋକାନୀଙ୍କୁ ଉଠାଇ ନେଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ—ମଞ୍ଜୁରୀରୋଡ୍ ବଜାରରେ ମୋବାଇଲ୍ ଦୋକାନ କରୁଥିବା ସନ୍ତୋଷ ଖଣ୍ଡେଇ ଓ ତାଙ୍କ ସହଯୋଗୀ, ତରାଗୋ ଅଞ୍ଚଳର ମହେଶ୍ୱର ପୁଣ୍ଟିଆ। ଦିଲ୍ଲୀ ପୋଲିସ ଉଭୟଙ୍କୁ ବନ୍ତ ଥାନାକୁ ଆଣି ପଚରାଉଚରା କରିଥିଲା। ପରେ ଭଦ୍ରକ କୋର୍ଟରେ ହାଜର କରାଯାଇ ଦିଲ୍ଲୀ ସାହିନବାଗ ପୋଲିସ ରିମାଣ୍ଡରେ ନେଇଯାଇଛି।
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଯାଜପୁର କୋରେଇ ଥାନା ଅଞ୍ଚଳର ବହୁ ବେକାର ଯୁବକଙ୍କୁ ଏହି ଦୁଇଜଣ ସେମାନଙ୍କ ଦୋକାନରୁ ସିମ୍ କିଣିବାକୁ ପ୍ରଲୋଭିତ କରୁଥିଲେ। ପ୍ରତି ସିମ୍ ପାଇଁ ୨ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଦେଇ ସିମ୍ ନେଉଥିଲେ। ପରେ ଆକ୍ଟିଭ୍ କରାଯାଇଥିବା ସିମ୍ଗୁଡ଼ିକୁ ଉଚ୍ଚ ଦାମରେ ବେନାମୀ ଲୋକଙ୍କୁ ବିକ୍ରି କରାଯାଉଥିଲା।ଏହି ସିମ୍ କାର୍ଡଗୁଡ଼ିକୁ ଅପରାଧିକ ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଛି।
ଉଭୟ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ବିପୁଳ ପରିମାଣର ଟଙ୍କା ଲେନଦେନ ହୋଇଥିବା ମଧ୍ୟ ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି। ଘଟଣାକୁ ନେଇ ସୁରକ୍ଷା ଏଜେନ୍ସୀମାନେ ଅଧିକ ତଥ୍ୟ ସଂଗ୍ରହ କରୁଥିବା ବେଳେ, ଏହି ସିମ୍ ରାକେଟ୍ ସହ ଆଉ କେହି ଜଡିତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

