Sat. Feb 21st, 2026

ନ୍ୟୁଜ ଡେକ୍ସ : ଆସନ୍ତା ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ଦରବାରରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ସାଂସ୍କୃତିକ ସମୃଦ୍ଧି ଆହୁରି ଉଜ୍ଜ୍ୱଳ ଭାବେ ଝଲସିବ। ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଏବେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରି ମିଳିଛି। ଏହା ସହ ସାରା ଦେଶ ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ଆଧୁନିକ ବିକାଶର ଅନନ୍ୟ ଚିତ୍ର ଦେଖିବାର ସୁଯୋଗ ପାଇବ।

ଏ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ୧୭ଟି ରାଜ୍ୟ ସହ ୧୩ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ ପକ୍ଷରୁ ମୋଟ ୩୦ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ। ଏଥିରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ‘ସମୃଦ୍ଧିର ମନ୍ତ୍ର – ଆତ୍ମନିର୍ଭର ଭାରତ’ ବିଷୟବସ୍ତୁ ଉପରେ ଆଧାରିତ ହେବ। ସ୍ବଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ଆତ୍ମନିର୍ଭର ଭାରତ ଗଠନରେ ଓଡ଼ିଶାର ଭୂମିକାକୁ ଏହି ମେଢ଼ ଜୀବନ୍ତ ଭାବେ ଉପସ୍ଥାପନ କରିବ।ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ କୃଷିରୁ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ଆତ୍ମନିର୍ଭର ଭାରତ ଯାତ୍ରାରେ ରାଜ୍ୟର ଅବଦାନକୁ ପ୍ରତୀକାତ୍ମକ ଭାବେ ଦର୍ଶାଯିବ। କୋରାପୁଟ କଫି ଉତ୍ପାଦନରୁ ଆରମ୍ଭ କରି ଆଧୁନିକ ସିଲିକନ ସେମିକଣ୍ଡକ୍ଟର ଶିଳ୍ପ ପର୍ଯ୍ୟନ୍ତ ଓଡ଼ିଶାର ନିରନ୍ତର ଉନ୍ନତି ଯାତ୍ରା ଏହି ମେଢ଼ର ମୁଖ୍ୟ ଆକର୍ଷଣ ହେବ।

ଏହାର ନିର୍ମାଣ ଦାୟିତ୍ୱ ଇମାଜରି ସଂସ୍ଥାକୁ ଦିଆଯାଇଛି। ମେଢ଼ରେ ଓଡ଼ିଶାର କୃଷି ସମୃଦ୍ଧି, ଆଧୁନିକ ଶିଳ୍ପ, ଦକ୍ଷତା ବିକାଶ, ଷ୍ଟାର୍ଟଅପ୍ ଇକୋସିଷ୍ଟମ୍, ନବସୃଜନ ଓ ପ୍ରଯୁକ୍ତିବିଦ୍ୟା–ଚାଳିତ ସମାଧାନର ଏକ ସମ୍ମିଳିତ ଦୃଶ୍ୟ ଉପସ୍ଥାପନ କରାଯିବ। ଜାତୀୟ ଦୃଷ୍ଟିକୋଣ ସହ ସମନ୍ବୟ ରଖି ଓଡ଼ିଶା କିପରି ତାହାର ପ୍ରାକୃତିକ ସମ୍ପଦ, ସାଂସ୍କୃତିକ ଐତିହ୍ୟ, ମାନବ ସମ୍ବଳ ଓ ପ୍ରଯୁକ୍ତିର ସଦ୍ବ୍ୟବହାର କରି ଆତ୍ମନିର୍ଭର ଭାରତ ଗଠନକୁ ଗତି ଦେଉଛି, ତାହା ଏହି ପ୍ରଜ୍ଞାପନ ମେଢ଼ ମାଧ୍ୟମରେ ପ୍ରକାଶ ପାଇବ।

ମେଢ଼ର ପଶ୍ଚାତ୍ ଭାଗରେ ଓଡ଼ିଶାର ଅନନ୍ୟ ସ୍ଥାପତ୍ୟ ଓ କାଳଜୟୀ କଳାତ୍ମକ ଐତିହ୍ୟର ପ୍ରତୀକ ଭାବେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ଆକର୍ଷଣୀୟ ପ୍ରତିରୂପ ସ୍ଥାନ ପାଇବ। ସମ୍ବଲପୁରୀ ବସ୍ତ୍ରରେ ଆଚ୍ଛାଦିତ ମେଢ଼ର ଉଭୟ ପାର୍ଶ୍ୱରେ ପାରମ୍ପରିକ ଜନଜାତି ଚିତ୍ରକଳା ଉପରେ ରୂପା ତାରକସି କାରୁକାର୍ଯ୍ୟ ଓଡ଼ିଶାର ଗଭୀର ସାଂସ୍କୃତିକ ପରିଚୟ ଓ ଉତ୍କୃଷ୍ଟ ହସ୍ତଶିଳ୍ପ ପରମ୍ପରାକୁ ପ୍ରତିଫଳିତ କରିବ।ଏହା ସହ ଓଡ଼ିଶାର ପ୍ରାଚୀନ ଲୋକନୃତ୍ୟ ଚଇତି ଘୋଡ଼ା ଗୀତ ଓ ନୃତ୍ୟ ମାଧ୍ୟମରେ ନୃତ୍ୟଶିଳ୍ପୀମାନେ ଆତ୍ମନିର୍ଭର ଭାରତରେ ଓଡ଼ିଶାର ଭୂମିକାକୁ ପ୍ରଜ୍ଞାପନ ମେଢ଼ର ଉଭୟ ପାର୍ଶ୍ୱରେ ଜୀବନ୍ତ ଭାବେ ଉପସ୍ଥାପନ କରିବେ।

ଗତ ନଭେମ୍ବର ୧୧ରୁ ଡିସେମ୍ବର ୨୨ ମଧ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ମନୋନୀତ କରିଛି। ବିଶେଷଜ୍ଞ କମିଟିର ସୂକ୍ଷ୍ମ ପର୍ଯ୍ୟାଲୋଚନା ପରେ ଆଗାମୀ ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହେବ ବୋଲି ସୋମବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।ଏହା ସହ ଦିଲ୍ଲୀ ଦରବାରରେ ଓଡ଼ିଶାର କଳା, ସଂସ୍କୃତି ଓ ଉନ୍ନତିର ଗରିମା ସାରା ଦେଶ ଆଗରେ ଆହୁରି ଗୌରବମୟ ଭାବେ ପ୍ରତିଫଳିତ ହେବ।

Leave a Reply

Your email address will not be published. Required fields are marked *