ନ୍ୟୁଜ ଡେକ୍ସ : ଆଜିଠାରୁ ଦିଲ୍ଲୀ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନା ବିଧାନସଭା ଗୃହକୁ ସମ୍ବୋଧନ କରିବେ। ତାଙ୍କର ଭାଷଣ ପରେ ଗୃହର ନିୟମିତ କାର୍ଯ୍ୟ ଆରମ୍ଭ ହେବ।ଏହି ଅଧିବେଶନ ଆସନ୍ତା ଜାନୁଆରୀ ୮ ଯାଏଁ ଚାଲିବ।
ଅଧିବେଶନ କାଳରେ ପ୍ରଶାସନିକ ସ୍ବଚ୍ଛତା, ଆର୍ଥିକ ବିକାଶ ସହ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଗୃହରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।ବିଧାନସଭାର ବାଚସ୍ପତି ବିଜେନ୍ଦର ଗୁପ୍ତା ସମସ୍ତ ସଦସ୍ୟଙ୍କୁ ଗୃହରେ ସକାରାତ୍ମକ ଏବଂ ଗଢ଼ନାତ୍ମକ ଆଲୋଚନା କରିବାକୁ ଆହ୍ବାନ ଦେଇଛନ୍ତି। ସେହିପରି ଗଣତାନ୍ତ୍ରିକ ପ୍ରତିଷ୍ଠାନର ସୁରକ୍ଷା ଓ ମର୍ଯ୍ୟାଦା ରକ୍ଷା ପାଇଁ ମଧ୍ୟ ସଦସ୍ୟମାନଙ୍କୁ ସଚେତନ ରହିବାକୁ କହିଛନ୍ତି।
ଚଳିତ ବର୍ଷର ପ୍ରଥମ ବିଧାନସଭା ଅଧିବେଶନ ହୋଇଥିବାରୁ ଏଥିରେ ରାଜନୈତିକ ଗରମାଗରମ ଚର୍ଚ୍ଚା ଦେଖିବାକୁ ମିଳିପାରେ। ବିରୋଧୀ ଦଳ ସ୍ବାସ୍ଥ୍ୟ, ଶିକ୍ଷା, ଶକ୍ତି, ଜଳ, ପରିବହନ, ଅର୍ଥ ଓ ନଗର ଉନ୍ନୟନ ଭଳି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି।

