ନ୍ୟୁଜ ଡେକ୍ସ : ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ପରେ ସମଗ୍ର ଦେଶରେ ଚିନ୍ତା ବଢ଼ି ଯାଇଛି। ଏହା ନେଇ ଆତଙ୍କବାଦୀ ହାତ ଥିବା ସନ୍ଦେହ ବ୍ୟକ୍ତ ହେବା ପରେ ଦେଶର ଅନେକ ପ୍ରମୁଖ ସହରରେ ହାଇଆଲର୍ଟ ଜାରି କରାଯାଇଛି।
ସେହି ଅଭିଯାନର ଅଂଶ ଭାବେ ଓଡ଼ିଶାର ପବିତ୍ର ଶହର ପୁରୀରେ ମଧ୍ୟ ହାଇଆଲର୍ଟ ଘୋଷଣା କରାଯାଇଛି।ପୁରୀ ଜିଲ୍ଲା ପୋଲିସ ଅଧୀକ୍ଷକ ପ୍ରତିକ ସିଂହ ସୂଚନା ଦେଇଛନ୍ତି ଯେ, ଦିଲ୍ଲୀ ଘଟଣା ପରେ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ପୁରୀରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ସେ କହିଛନ୍ତି, “ପୁରୀ ଏକ ସମ୍ବେଦନଶୀଳ ଅଞ୍ଚଳ ହେବା ସହ ଏଠାରେ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ଆସୁଛନ୍ତି। ଆତଙ୍କବାଦୀ ହୁମକକୁ ଦୃଷ୍ଟିରେ ରଖି ସହରର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସତର୍କ ଅଭିଯାନ ଚାଲିଛି।”ସେହିପରି ସୁତାହାଟ, ବଡ଼ଦାଣ୍ଡ, ଗୁଣ୍ଡିଚା ମନ୍ଦିର, ରେଲଷ୍ଟେସନ୍, ସମୁଦ୍ରତଟ ଓ ଜଗନ୍ନାଥ ମନ୍ଦିର ପରିସରରେ ପୋଲିସ ଚେକିଂ ଜୋରଦାର କରାଯାଇଛି।
ସିସିଟିଭି ନିରୀକ୍ଷଣ ବଢ଼ାଇ ଦିଆଯାଇଛି ଏବଂ ବୋମ୍ ସ୍କୱାଡ୍ ଟିମ୍କୁ ମଧ୍ୟ ତତ୍ପର ରଖାଯାଇଛି। ଦିଲ୍ଲୀ ବିସ୍ଫୋରଣ ପରେ ମୁମ୍ବଇ, ହରିୟାଣା, ଚଣ୍ଡୀଗଡ଼ ସହ ଅନ୍ୟ ଅନେକ ସହରରେ ମଧ୍ୟ ହାଇଆଲର୍ଟ ଜାରି ହୋଇଛି। କେନ୍ଦ୍ର ସୁରକ୍ଷା ସଂସ୍ଥାଗୁଡ଼ିକ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ପୁରୀ ଏପରିକି ପୂର୍ବରୁ ମଧ୍ୟ ଆତଙ୍କବାଦୀ ଟାର୍ଗେଟ ତାଲିକାରେ ରହିଥିବା ସ୍ଥାନ ଭାବେ ଚିହ୍ନିତ ହୋଇଥିଲା। ତେଣୁ ପୋଲିସ ଓ ପ୍ରଶାସନ ଏହି ସତର୍କତାକୁ ଗୁରୁତ୍ୱ ସହ ଗ୍ରହଣ କରିଛି।

