ନ୍ୟୁଜ ଡେକ୍ସ : ଦିଲ୍ଲୀ ବିସ୍ଫୋରଣ ଘଟଣା ପରେ ରାଜ୍ୟର ସମସ୍ତ ପ୍ରମୁଖ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଉଛି। ଏହି ପରିପ୍ରେକ୍ଷିତରେ ପୁରୀ ଆସି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ଓ ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ୍ ନାୟକ। ପୁରୀ ଏସପି ପ୍ରତୀକ ସିଂ, ଶ୍ରୀମନ୍ଦିର ସୁରକ୍ଷା ବାହିନୀର କମାଣ୍ଡାଣ୍ଟ, ସ୍ପେଶାଲ ବ୍ରାଞ୍ଚର ଅତିରିକ୍ତ ଏସପି, କୋଷ୍ଟ ଗାର୍ଡ ଓ ଜିଆରପି ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।
ସମୀକ୍ଷା ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ସହିତ ସମଗ୍ର ପୁରୀ ସହରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କିପରି ସୁଦୃଢ କରାଯାଇପାରିବ ତାହା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବୈଠକ ପରେ ଗଣମାଧ୍ୟମ ସମ୍ମୁଖରେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ୍ ନାୟକ କହିଥିଲେ, “ଶ୍ରୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷା ପୋଲିସ ବିଭାଗ ପାଇଁ ସବୁବେଳେ ପ୍ରାଥମିକତା। ଏହାକୁ ଆହୁରି ସୁଦୃଢ କରିବାକୁ ସମସ୍ତ ସୁରକ୍ଷା ବାହିନୀ ସହିତ ମିଳି ଯୋଜନା କରାଯାଉଛି।” ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ନିୟମିତ ଫୁଟ୍ ପେଟ୍ରୋଲିଙ୍ଗ ହେଉଛି। ରାତି ୧୦ଟା ପରଠାରୁ ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ଯାଏଁ ‘ନୋ ଭେହିକିଲ୍ ଜୋନ୍’ ଘୋଷଣା କରାଯାଇଛି।
ଏହା ସହିତ ଶ୍ରୀମନ୍ଦିର ପାଖକୁ ଚାରିଚକିଆ ଯାନ ପ୍ରବେଶରେ କଟକଣା ଲଗାଯାଇଛି। ସହରର ସମସ୍ତ ପ୍ରବେଶପଥରେ ପୋଲିସ ପକ୍ଷରୁ ନାକା ଲଗାଇ ଯାନ ଯାଞ୍ଚ ଚାଲିଛି।ପୁରୀର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ପଦକ୍ଷେପ ନିଆଯାଉଛି। ସମୁଦ୍ରପଥ ସୁରକ୍ଷା ପାଇଁ କୋଷ୍ଟ ଗାର୍ଡ ଓ ମେରାଇନ ଥାନା ପୋଲିସ ମିଳିତ ଭାବେ ପେଟ୍ରୋଲିଙ୍ଗ କରୁଛନ୍ତି।
ପୁରୀ ରେଲୱେ ଷ୍ଟେସନରେ ଜିଆରପି ଓ ଆରପିଏଫ ପକ୍ଷରୁ କଡ଼ା ନଜର ରଖାଯାଉଛି।ଏହାସହିତ, ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ୍ ଉଡ଼ୁଥିବା ଘଟଣା ମଧ୍ୟ ଦେଖାଯାଇଥିବାରୁ ଏହାକୁ ରୋକିବା ପାଇଁ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ସ୍ଥାପନ ନେଇ ରାଜ୍ୟ ସରକାରଙ୍କୁ ପୁରୀ ଏସପିଙ୍କ ପକ୍ଷରୁ ଚିଠି ଲେଖାଯାଇଛି। ସେନେଇ ତର୍ଜମା ଚାଲିଥିବା ବେଳେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଆଶା ବ୍ୟକ୍ତ କରାଯାଇଛି।

