ନ୍ୟୁଜ ଡେକ୍ସ: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାମ ନେଉନାହିଁ । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନ ପଟ୍ଟନାୟକ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, ଦୀଘାରେ ଥିବା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବରେ ପଶ୍ଚିମବଙ୍ଗ ସରକାରଙ୍କ ସମ୍ବୋଧିତ କରିବାର ନିଷ୍ପତ୍ତି ଉପରେ ଆପଣ ହସ୍ତକ୍ଷେପ କରନ୍ତୁ ଏବଂ ଏହାର ସମାଧାନ କରନ୍ତୁ ।
ଏହି ପବିତ୍ର ଉପାଧି କେବଳ ଓଡ଼ିଶାର ପୁରୀ ସହିତ ଜଡ଼ିତ । ଅନ୍ୟ ଏକ ସ୍ଥାନ ପାଇଁ ଏହି ‘ଜଗନ୍ନାଥ ଧାମ’ ଶବ୍ଦର ବ୍ୟବହାର ବ୍ୟାପକ ଦ୍ୱନ୍ଦ୍ୱ ସୃଷ୍ଟି କରିବା ସହ ଧାର୍ମିକ ଭାବନାକୁ ଆଘାତ ଦେଉଥିବା ସୁଦର୍ଶନ ଚିଠିରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ଆଜି ସକାଳୁ ଦୀଘାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୁଣି ବଡ ବଡ ଅକ୍ଷରରେ ସ୍ଥାୟୀ ଜଗନ୍ନାଥ ଧାମ ପୋଷ୍ଟର ମରାଯାଇଛି ।
ଦୀଘାରେ ତିଆରି କରାଯାଇଥିବା ମନ୍ଦିରକୁ ଜଗନ୍ନାଥ ଧାମ ବୋଲି ନାଁ ଦିଆଯାଇଥିବା ବେଳେ ଏହା ଓଡିଆର ଧାର୍ମିକ ଭାବନାକୁ ଆଘାତ ଦେଇଛି । ଜଗନ୍ନାଥ ଧାମ କହିଲେ କେବଳ ପୁରୀ ଓଡ଼ିଶାକୁ ବୁଝାଏ ।ଯଦି ପଶ୍ଚିମବଙ୍ଗରେ ମଧ୍ୟ ଏଭଳି ନାମକରଣ ହେବ ତେବେ ଲୋକଙ୍କ ମନରେ ଦ୍ବନ୍ଦ ଦେଖାଯିବ । ଏନେଇ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ଲେଖିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
