Thu. Oct 23rd, 2025

ନ୍ୟୁଜ ଡେକ୍ସ : ଦୀପାବଳି ପରେ ସୁନା ଓ ରୁପା ଦାମରେ ବଡ଼ ପରିମାଣର ହ୍ରାସ ଦେଖିବାକୁ ମିଳିଛି। ଧନତେରାସ ଓ ଦୀପାବଳି ସମୟରେ ଆକାଶ ଛୁଆଁ ହୋଇଥିବା ସୁନା ଓ ରୁପା ଦର ଏବେ ତୀବ୍ର ଭାବରେ ଖସିପଡ଼ିଛି। ପାଞ୍ଚ ଦିନରେ ସୁନା ପ୍ରାୟ ୭,୦୦୦ ଟଙ୍କା ଶସ୍ତା ହୋଇଯାଇଛି, ଯେତେବେଳେ ରୁପାର ଦାମ ସପ୍ତାହ ମଧ୍ୟରେ ୩୨,୦୦୦ ଟଙ୍କା ହ୍ରାସ ପାଇଛି। ଫଳରେ ରୁପା ଦର ୨ ଲକ୍ଷ ଟଙ୍କା ସ୍ତର ତଳକୁ ଖସିଯାଇଛି।

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ହ୍ରାସ ହୋଇଥିବା ବେଳେ, ତାହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ସ୍ପଷ୍ଟ ଭାବରେ ପଡ଼ିଛି। ଚଳିତ ବର୍ଷ ସୁନା ମୂଲ୍ୟରେ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି ହୋଇଥିଲେ ମଧ୍ୟ, ଏବେ ନିବେଶକମାନଙ୍କ ପାଇଁ ଏହି ହ୍ରାସ ଏକ ଝଟକା ସୃଷ୍ଟି କରିଛି।ଅନ୍ତଃରାଷ୍ଟ୍ରୀୟ ବଜାରରେ ମଙ୍ଗଳବାର ସୁନାର ମୂଲ୍ୟ ୨.୬ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୪୦୧୭.୨୯ ଡଲାର କୁ ତଳକୁ ଖସିଛି। ଆମେରିକା ଗୋଲ୍ଡ ଫିଉଚର୍ସରେ ମଧ୍ୟ ସୁନା ମୂଲ୍ୟ ୧.୯ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୪୦୩୨.୮୦ ଡଲାର କୁ ଆସିଛି। ଭାରତୀୟ ବଜାରରେ, ସୋମବାର ସୁନାର ଦାମ ୧୦ ଗ୍ରାମ ପିଛା ୧,୩୦,୦୦୦ ଟଙ୍କା ଥିଲା।

କିନ୍ତୁ ମଙ୍ଗଳବାର ସନ୍ଧ୍ୟା ସାଢେ ୫ଟା ପର୍ଯ୍ୟନ୍ତ ସେହି ମୂଲ୍ୟରେ ପ୍ରାୟ ୪,୦୦୦ ଟଙ୍କା ହ୍ରାସ ହୋଇଛି। ଏହିପରି ରୁପାର ମୂଲ୍ୟ ମଧ୍ୟ କିଲୋଗ୍ରାମ ପିଛା ୧୦,୦୦୦ ଟଙ୍କା ହ୍ରାସ ପାଇଛି।ବିଶେଷଜ୍ଞମାନଙ୍କ ମତାନୁସାରେ, ଅନ୍ତର୍ଜାତୀୟ ବଜାରରେ ଚାଲିଥିବା ଅସ୍ଥିରତା ଓ ଡଲାର ଶକ୍ତିଶାଳୀ ହେବା ହିଁ ଏହି ହ୍ରାସର ପ୍ରମୁଖ କାରଣ। ସେମାନେ ଆକଳନ କରୁଛନ୍ତି ଯେ, ଆଗାମୀ ଦିନରେ ଭାରତରେ ସୁନା ଓ ରୁପା ଦାମ ଆହୁରି ଖସିପାରେ।

Leave a Reply

Your email address will not be published. Required fields are marked *