Thu. Oct 23rd, 2025

ନ୍ୟୁଜ ଡେକ୍ସ: ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ନଡ୍ଡା । ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ । ଆଜିଠୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ । କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଜନାର ଶୁଭାରମ୍ଭ କରିବେ ନଡ୍ଡା ।

ରାଜ୍ୟରେ ବର୍ତ୍ତମାନର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ସମନ୍ୱୟ ରଖି ଏବିପିଏମ୍-ଜେଏୱାଇ କାର୍ଯ୍ୟକାରୀ କରାଯିବ । ରାଜ୍ୟର ସାଢ଼େ ୩ କୋଟି ଲୋକ ପାଇବେ ମାଗଣା ସ୍ୱାସ୍ଥ୍ୟସେବା ।କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଏଥିପାଇଁ ମେଗା ଆୟୋଜନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ୩ଟି ଯାକ ଯୋଜନାର ଲୋକାର୍ପଣ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ, ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ପ୍ରଭାତୀ ପରିଡ଼ା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ୧୨ ଜିଲ୍ଲାରେ ମଧ୍ୟ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରାଜ୍ୟ ସରକାରଙ୍କ ୧୨ ଜଣ ମନ୍ତ୍ରୀ ଏଥିରେ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ।

ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ୩ଟି ଯୋଜନାର ଲୋକାର୍ପଣ କରିବାକୁ ଯାଉଛନ୍ତି । ରାଜ୍ୟର ସମସ୍ତ ୧୪୦୫ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ୩ଟି ଯୋଜନାରେ ରାଜ୍ୟର ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଯୋଡ଼ି ହେବେ । ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ କରାଯିବ । ରାଜ୍ୟରେ ଏମାନଙ୍କ ସଂଖ୍ୟା ୨୩ ଲକ୍ଷ ୧୩ ହଜାର ।

ପ୍ରାୟ ୧୭ ଲକ୍ଷ ଆୟୁଷ୍ମାନ ଏବଂ ଜିଜେଏୱାଇରେ ସାମିଲ ଥିବାରୁ ଆଉ ୬ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଯୋଡ଼ି ହେବେ । ଏଥିରେ ରାଜ୍ୟର ଏକ କୋଟିରୁ ଅଧିକ ପରିବାରର ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ। ଦେଶର ୨୯ ହଜାରରୁ ଅଧିକ ସରକାରୀ ଓ ପଞ୍ଜିକୃତ ଘରୋଇ ହସପିଟାଲରେ ଚିକିତ୍ସା ସୁବିଧା ଉପଲବ୍ଧ ହେବ ।

Leave a Reply

Your email address will not be published. Required fields are marked *