Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜ୍ୟରେ ଗତ କିଛି ଦିନ ହେଲା ତାପମାତ୍ରା ଖସୁଥିବା ବେଳେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଡିସେମ୍ବରରେ ଆକାଶ ମେଘୁଆ ରହିବା ସହିତ ଲଘୁଚାପ ଜନିତ ବର୍ଷା ଯୋଗୁ ଶୀତର ପ୍ରଭାବ ବିଶେଷ ପରିଲକ୍ଷିତ ହେଉ ନଥିଲା । ଜାନୁଆରୀ ପ୍ରଥମ ସପ୍ତାହରୁ ସାରା ଓଡିଶାରେ ଶୀତ ଜୋର ଧରିଛି। କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା।

ଜି. ଉଦୟଗିରିରେ ପାରଦ ୬ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ଏଠାରେ ରାତି ତାପମାତ୍ରା ୫.୨ ଡିଗ୍ରୀ ରେକର୍ଡ ହୋଇଛି । ୮ ସହରରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ତଥାପି ଦୁଇ ଦିନ ପରେ ଶୀତ କମିଯିବ । ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ କହିଛି । ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯାଇଛି। ରାଜଧାନୀ ଭୁବନେଶ୍ବର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡ଼ି ଯୋଗୁଁ ଟ୍ବିନ ସିଟିରେ ଦୃଶ୍ୟମାନ ଦୂରତା କମିଯାଇଛି। ୫୦ ମିଟର ଆଗକୁ ଦୃଶ୍ୟମାନ କଷ୍ଟକର ହୋଇପଡିଛି। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତଘାଟ ଦେଖାଯାଇନଥିଲା।

କୋଣାର୍କରେ ଘନ କୁହୁଡ଼ି ଯୋଗୁଁ ଲୁଚି ଯାଇଛି ବ୍ଲାକ ପାଗୋଡ଼। ଫଳରେ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହୋଇଛନ୍ତି ପର୍ଯ୍ୟଟକ। ଶୁକ୍ରବାର ଫୁଲବାଣୀ, ଝାରସୁଗୁଡ଼ା ଓ ରାଉରକେଲାରେ ୭ ଡିଗ୍ରୀ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୯ ଡିଗ୍ରୀ, କୋରାପୁଟ ଓ ସମ୍ବଲପୁରରେ ରାତି ତାପମାତ୍ରା ୧୧ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଶନିବାର ସୁନ୍ଦରଗଡ଼, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।

Leave a Reply

Your email address will not be published. Required fields are marked *