ନ୍ୟୁଜ ଡେକ୍ସ: ଜଳବାୟୁ ପରିବର୍ତ୍ତନ ନେଇ ପୂରା ବିଶ୍ୱ ଚିନ୍ତାରେ ଥିବା ବେଳେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଛି ମରୁଭୂମିରେ । ମରୁଭୂମିରେ ସୃଷ୍ଟି ହୋଇଛି ବନ୍ୟା । ମରୁଭୂମି କଥା ଭାବିଲେ ମନକୁ ଚାଲିଆସେ ବାଲିର ଉଚ୍ଚ ଗଦା। ଯୁଆଡେ ଦେଖିବ ଜଳର ଅଭାବ।
ସାଧାରଣତଃ ମରୁଭୂମିରେ ଲୋକଙ୍କୁ ପାଣି ଟୋପାଏ ପାଇଁ ଅନେକ କିଲୋମିଟର ଯାତ୍ରା କରିବାକୁ ପଡେ। ତେବେ କଳ୍ପନା କରନ୍ତୁ ଦୁନିଆର ସବୁଠୁ ବଡ ମରୁଭୂମିରେ ଲୋକଙ୍କ ଅବସ୍ଥା କ’ଣ ହେଉଥିବ? ସାହାରା ମରୁଭୂମିରେ ଜଳ ପାଇବା ଏକଦା ଅସମ୍ଭବ ଥିଲା। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ଏହା ଏବେ ଅତୀତ ହୋଇଯାଇଛି। ସାହାରା ମରୁଭୂମିରୁ କିଛି ଚମତ୍କାର କଲାପରି ଫଟୋ ସାମନାକୁ ଆସିଛି, ଯାହା ସମସ୍ତଙ୍କ ପାଦ ତଳେ ଭୂମି ଖସିଯାଇଛି।୫୦ ବର୍ଷ ପରେ ସାହାରା ମରୁଭୂମିରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହାର ଉପଗ୍ରହରୁ କିଛି ଫଟୋ ସେୟାର କରିଛି।
ଏହି ଚିତ୍ରଗୁଡ଼ିକୁ ଦେଖି ସାହାରାରେ ବନ୍ୟା ପରିସ୍ଥିତି ଆକଳନ କରାଯାଇଛି। ଉଚ୍ଚ ବାଲୁକା କୂଳ ପାଣିରେ ପରିପୂର୍ଣ୍ଣ। ଏହାର କାରଣ ହେଉଛି ପ୍ରବଳ ବର୍ଷା। ୨ ଦିନର ପ୍ରବଳ ବର୍ଷା ପରେ ସାହାରା ମରୁଭୂମି ଏକ ହ୍ରଦରେ ପରିଣତ ହୋଇଛି। ବୈଜ୍ଞାନିକଙ୍କ ଅନୁଯାୟୀ, ବିଶ୍ୱ ତାପମାତ୍ରା ହେତୁ ଅନେକ ସ୍ଥାନରେ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ଘଟଣାକ୍ରମ ଦେଖିବାକୁ ମିଳେ। ସାହାରା ମରୁଭୂମିରେ ବନ୍ୟା ପରିସ୍ଥିତି ମଧ୍ୟ ଏହାର ଏକ ଜ୍ୱଳନ୍ତ ଉଦାହରଣ।