ନ୍ୟୁଜ ଡେସ୍କ: ଉତ୍ତରପ୍ରଦେଶର ବାହରାଇଚର ହରଦି ଅଞ୍ଚଳରେ ଆଜି ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ପଥର ମାଡ଼ ସାଙ୍ଗକୁ ଗୁଳି ମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି l ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇବା ପରେ ପୋଲିସ ପହଞ୍ଚି ୩୦ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ଦଶହରା ସରିବା ପରେ ମୂର୍ତ୍ତି ବିସର୍ଜନ ପାଇଁ ବାହରାଇଚରେ ଭସାଣି ଚାଲିଥିଲା। ଏହି ସମୟରେ ମହରାଜଗଞ୍ଜ ବଜାର ନିକଟରେ କିଛି ଯୁବକ ଆସି ଗୀତ ବଜାଇବାକୁ ନେଇ ପାଟିତୁଣ୍ଡ କରିଥିଲେ। ଏହା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଧୀରେ ଧୀରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଲୋକ ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କ ଉପରକୁ ପଥର ମାଡ଼ କରିବାରୁ ଅପରପକ୍ଷ ଲୋକେ ଆକ୍ରମଣ କରିଥିଲେ। କେବଳ ଏତିକି ନୁହେଁ, ଗୁଳିମାଡ଼ ମଧ୍ୟ କରାଯାଇଥିଲେ।
ଏଥିରେ ଜଣେ ୨୨ ବର୍ଷର ଯୁବକ ରାମ ଗୋପାଲ ମିଶ୍ରା ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଏକାଧିକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଦୋକାନ ଏବଂ ବାଇକରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି।