Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜସ୍ୱ ବିଭାଗରେ ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଏକ କଡା ଅଭିଯାନ ଆରମ୍ଭ କରିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟ କରିଛନ୍ତି ଯେ ଏଣିକି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପିଠିରେ “ମନ୍ତ୍ରୀଙ୍କ ଛାଟ” ବାଜିବ। ଯଦି କେହି ରାଜସ୍ୱ ଅଧିକାରୀ ଲାଞ୍ଚ ମାଗୁଛନ୍ତି, ସାଧାରଣ ଲୋକେ ସିଧାସଳଖ ମନ୍ତ୍ରୀଙ୍କୁ ଫୋନ୍ କରି ଅଭିଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ରାଜସ୍ୱ ବିଭାଗରେ ଦୁର୍ନୀତି ଏକ ଗଭୀର ସମସ୍ୟା ହୋଇପଡ଼ିଥିଲା ଓ ଏହା ଅଭ୍ୟାସରେ ପରିଣତ ହୋଇଯାଇଥିଲା। ଏହାକୁ ସମୂଳେ ମୁଲା ଉପାଡ଼ିବା ପାଇଁ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସାଧାରଣ ନାଗରିକଙ୍କୁ ‘ଭିଆଇପି ଟ୍ରିଟମେଣ୍ଟ’ ଦେବା ଲକ୍ଷ୍ୟରେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଏକ ନୂଆ ସଂସ୍କାରମୂଳକ ଗାଇଡଲାଇନ ଜାରି କରାଯାଇଛି। ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ଅନେକ ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହୋଇଛି। ସେ କହିଛନ୍ତି, “ଆମେ ପ୍ରାୟ ୩୦୦ ଜଣ OAS ଅଫିସରଙ୍କ ବିରୁଦ୍ଧରେ ପ୍ରୋସିଡିଂ କରିଛୁ। ଆଇନ ଅନୁସାରେ କେତେକ ରାଜସ୍ୱ ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି, ଏବଂ ଅନେକ ଲୋକ ଗିରଫ ହୋଇ ଜେଲ୍‌କୁ ଯାଇଛନ୍ତି।”ମନ୍ତ୍ରୀ କହିଛନ୍ତି ଯେ ପ୍ରତିଦିନ କେଉଁ କେଉଁ ସେବା କେତେ ଲୋକଙ୍କୁ ଦିଆଗଲା, ସେଥିର ସମ୍ପୂର୍ଣ୍ଣ ଡାଟା ସିଧାସଳଖ ତାଙ୍କ ଅଫିସକୁ ଆସୁଛି।

ଅନେକ ଲୋକ ନିଜେ ମଧ୍ୟ ସିଧା ଫୋନ୍ କରି ଅଭିଯୋଗ କରୁଛନ୍ତି। “କିଛି ସମୟ ବିଳମ୍ବ ହୋଇପାରେ, କିନ୍ତୁ କେହି ଲାଞ୍ଚ ଦିଅନ୍ତୁ ନାହିଁ। ସରକାର ବିନା ଲାଞ୍ଚରେ ରାଜସ୍ୱ ସେବା ଦେବା ପାଇଁ ପ୍ରସ୍ତୁତ,” ବୋଲି ସେ କହିଛନ୍ତି।ସେ ଆହୁରି କହିଛନ୍ତି ଯେ ଯେଉଁ ଅଧିକାରୀ ଭଲ କାମ କରିବେ, ସେମାନଙ୍କୁ ଭଲ ସ୍ଥାନରେ ପୋଷ୍ଟିଂ ଦିଆଯିବ, କିନ୍ତୁ ଯେଉଁମାନେ ଲାଞ୍ଚ ନେବେ କିମ୍ବା ଲୋକଙ୍କୁ ହେରାନ କରିବେ, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ସାରକଥା, ସରକାରର ଲକ୍ଷ୍ୟ ହେଉଛି ସମ୍ପୂର୍ଣ୍ଣ ରାଜସ୍ୱ ବିଭାଗକୁ ଦୁର୍ନୀତିମୁକ୍ତ କରି ସାଧାରଣ ଲୋକଙ୍କୁ ସ୍ୱଚ୍ଛ, ସରଳ ଓ ସମୟୋଚିତ ସେବା ଯୋଗାଇବା।

Leave a Reply

Your email address will not be published. Required fields are marked *