Sun. Feb 22nd, 2026

ନ୍ୟୁଜ ଡେକ୍ସ : ଦେଶରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ ସଂଲଗ୍ନ ଫରିଦାବାଦରେ ଥିବା ଜଣେ ଡାକ୍ତରଙ୍କ ଘରୁ ବିଶାଳ ପରିମାଣର ଅସ୍ତ୍ର ଓ ବିସ୍ଫୋରକ ଜବତ କରିଛି ପୋଲିସ। ଜମ୍ମୁ ଏବଂ କାଶ୍ମୀର ପୋଲିସ ଫରିଦାବାଦରେ ଏହି ଅଭିଯାନ ଚାଲାଇଥିଲେ ଏବଂ ଏହି ସମୟରେ ୩୬୦ କିଲୋଗ୍ରାମ ବିସ୍ଫୋରକ (ସନ୍ଦିଗ୍ଧ ଆମୋନିୟମ୍ ନାଇଟ୍ରେଟ୍), ଏକ ଆସଲ୍ଟ ରାଇଫଲ୍ ଏବଂ ଗୁଳି ଜବତ କରାଯାଇଛି।

ଫରିଦାବାଦ ପୋଲିସର ସୂଚନା ଅନୁସାରେ, ଜମ୍ମୁ ଏବଂ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବାସିନ୍ଦା ଡାକ୍ତର ଆଦିଲ ଅହମ୍ମଦଙ୍କ ଜିଜ୍ଞାସା ଆଧାରରେ ଏହି ଚଢାଉ କରାଯାଇଥିଲା। ଆଦିଲଙ୍କୁ ନଭେମ୍ବର ୭ ତାରିଖରେ ଉତ୍ତରପ୍ରଦେଶର ସହାରନପୁରରୁ ଜମ୍ମୁ ଏବଂ କାଶ୍ମୀର ପୋଲିସ ଗିରଫ କରିଥିଲା। ପଚରାଉଚରା ସମୟରେ ସେ ଫରିଦାବାଦରେ ବିସ୍ଫୋରକ ରଖିଥିବା ସ୍ୱୀକାର କରିଥିଲେ।ଫରିଦାବାଦ ପୋଲିସ କମିଶନର ସତେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଏହା ହରିୟାଣା ଏବଂ ଜମ୍ମୁ-କାଶ୍ମୀର ପୋଲିସଙ୍କ ମିଳିତ ଅଭିଯାନ ଅଟେ। ଅଭିଯୁକ୍ତ ଜଣକ ହେଲେ ଡାକ୍ତର ମୁଜାମ୍ମିଲ, ଯିଏକି ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ। ତାଙ୍କୁ ଗିରଫ କରାଯାଇଛି।” ସେ ଆହୁରି କହିଛନ୍ତି, “ଗତକାଲି ଆମେ ୩୬୦ କିଲୋଗ୍ରାମ ଜ୍ୱଳନଶୀଳ ସାମଗ୍ରୀ ଉଦ୍ଧାର କରିଛୁ, ଯାହା ସମ୍ଭବତଃ ଆମୋନିୟମ୍ ନାଇଟ୍ରେଟ୍ ଅଟେ। ଏହା RDX ନୁହେଁ।

ତାସହିତ ଏକ ଆସଲ୍ଟ ରାଇଫଲ୍, ୫ ଲିଟର ରାସାୟନିକ ପଦାର୍ଥ, ୮୪ଟି କାର୍ଟ୍ରିଜ୍ ଏବଂ ଦୁଇଟି ସ୍ୱୟଂଚାଳିତ ପିସ୍ତଲ ମଧ୍ୟ ଜବତ କରାଯାଇଛି।”ପୋଲିସ ଏବେ ଉଦ୍ଧାର ହୋଇଥିବା ସାମଗ୍ରୀଗୁଡ଼ିକର ବୈଜ୍ଞାନିକ ଯାଞ୍ଚ କରୁଛି ଏବଂ ମୁଜାମ୍ମିଲ ଓ ଆଦିଲଙ୍କ ମଧ୍ୟର ସମ୍ପର୍କ ନେଇ ତଦନ୍ତ ଚାଲିଛି। ଜମ୍ମୁ ଏବଂ କାଶ୍ମୀର ପୋଲିସ ଆତଙ୍କବାଦୀ ସମର୍ଥନ ନେଟୱାର୍କକୁ ଭାଙ୍ଗିବା ପାଇଁ ଅଭିଯାନ ଜୋରଦାର କରିଛି।ସୂତ୍ରମାନଙ୍କ କହିବା ଅନୁଯାୟୀ, କାଶ୍ମୀର ଉପତ୍ୟକାରେ ଏପର୍ଯ୍ୟନ୍ତ ଶହେ ରୁ ଅଧିକ ସନ୍ଦିଗ୍ଧଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ପୋଲିସ ମନୋଭାବ ଅନୁସାରେ, ଏହା ଦେଶବ୍ୟାପୀ ଆତଙ୍କ ଜାଳର ଏକ ଅଂଶ ହୋଇପାରେ।ଏହି ଘଟଣା ଦେଶର ସୁରକ୍ଷା ବ୍ୟବସ୍ଥାକୁ ପୁଣିଥରେ ଅଲର୍ଟ କରିଦେଇଛି।

Leave a Reply

Your email address will not be published. Required fields are marked *