Tue. Dec 24th, 2024

ନ୍ୟୁଜ ଡେକ୍ସ: ଆଉ ନାହାନ୍ତି ଶିଳ୍ପଜଗତର ରତ୍ନ ରତନ ଟାଟା। ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ସେବା ନିବୃତ୍ତ ଅଧ୍ୟକ୍ଷ ରତନ ଟାଟାଙ୍କର ବୁଧବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ତାଙ୍କର ବିୟୋଗ ଭାରତୀୟ ଶିଳ୍ପ ଜଗତରେ ସୃଷ୍ଟି କରିଛି ବିରାଟ ଶୂନ୍ୟସ୍ଥାନ । ତାଙ୍କ ଭଳି ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ । ଟାଟାକୁ ବିରାଟ ବ୍ରାଣ୍ଡ୍ରେ ପରିଣତ କରିଥିଲେ ସେ । ପୂର୍ବ ପିଢ଼ି ଛାଡ଼ିଯାଇଥିବା ଲିଗାସିକୁ ଜାବୁଡ଼ି ଧରି ସେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ଚାଲିଥିଲେ ।

ଭାରତର ଘରେ ଘରେ ଟାଟାକୁ ପରିଚିତ କରାଇଥିଲେ । ବିଦେଶରେ ବି ଟାଟାକୁ କୋଣାନୁକୋଣରେ ପହଞ୍ଚାଇ ଭାରତ ପାଇଁ ଅର୍ଜିଥିଲେ ସୁନାମ । ଆଜି ଘରେ ଘରେ ଟାଟା ଏକ ପରିଚିତ ନାମ । ସକାଳର ଚା କପ୍ ହେଉ ଅବା ବିମାନ ଯାତ୍ରା, ଭାତ ଥାଳିର ଲୁଣ ହେଉ ଅବା ସୁଉଚ୍ଚ ଅଟ୍ଟାଳିକା ଓ ସୁଦୀର୍ଘ ସଡ଼କ ନିର୍ମାଣ, ସବୁଥିରେ ଟାଟା ନାମ ସ୍ୱତଃ ଆସିଯାଇଥାଏ । ଏ ସବୁ ପାଇଁ ରତନ ଟାଟାଙ୍କର ଯେ ହାତ ରହିଛି, ତାହା କେହି ଟାଳିପାରିବେ ନାହିଁ । ଦୁଇ ଦିନ ତଳେ ରତନ ଟାଟା ଅସୁସ୍ଥ ହୋଇପଡ଼ିଥିଲେ । ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ମୁମ୍ବାଇ ବ୍ରିଚକ୍ୟାଣ୍ଡି ହସପିଟାଲକୁ ଆସିଥିଲେ । ପରେ ସେ ନିଜେ ପ୍ରତିକ୍ରିୟା ରଖି କହିଥିଲେ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ହସ୍ପିଟାଲ ଆସିଥିଲେ । କିନ୍ତୁ ପରେ ଅଚାନକ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ବୁଧବାର ସନ୍ଧ୍ୟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ରାଜନୈତିକ ମହଲ, ଶିଳ୍ପ ଜଗତ, ବଲିଉଡ ସମେତ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କର ପରଲୋକରେ ଗଭୀର ଶୋକ ପ୍ରକାଶ କରି ଦେଶପ୍ରତି ତାଙ୍କର ଅବଦାନକୁ ସ୍ମରଣ କରିଛନ୍ତି ।୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ରତନ ନାଭାଲ ଟାଟା।

ନିଜର ଅମାୟିକ ବ୍ୟକ୍ତିତ୍ୱ, ସରଳ ଜୀବନଶୈଳୀ, ମେଳାପି ସ୍ୱଭାବ ଏବଂ ବଦାନ୍ୟତା ପାଇଁ ପରିଚିତ ଥିଲେ ରତନ ଟାଟା। ୧୯୬୨ରେ ସେ ପ୍ରଥମେ ଟାଟା ଗ୍ରୁପରେ ଯୋଗ ଦେଇଥିଲେ। ୧୯୯୧ରେ ଜେଆରଡି ଟାଟା ଅବସର ନେବା ପରେ ସେ ଟାଟା ସନ୍ସ ଚେୟାରମ୍ୟାନ୍ ବନିଥିଲେ।ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର। ୨୦୧୨ ମସିହାରେ ରକଫେଲାର ଫାଉଣ୍ଡେସନଦ୍ୱାରା ଆଜୀବନ ପାରଦର୍ଶିତା ପାଇଁ ପୁରସ୍କୃତ ହୋଇଥିଲେ ରତନ ଟାଟା।

Leave a Reply

Your email address will not be published. Required fields are marked *