ନ୍ୟୁଜ ଡେକ୍ସ : ଆସନ୍ତା ୩ ତାରିଖ ମଙ୍ଗଳବାର ଦିନ ଶ୍ରୀଜଗନ୍ନଥ ମନ୍ଦିରରେ ପାଳିତ ହେବ ଦୋଳପୂର୍ଣ୍ଣମୀ। ବଡ଼ଦେଉଳରୁ ଦୋଳ ଦିଅଁ ବିଜେ ହୋଇ ଦୋଳବେଦିକୁ ପହଞ୍ଚିବେ ଦେବଦେବୀ। ଅବିର ଲାଗି ହୋଇ ଦୋଳବେଦିରେ ଝୁଲିବେ ଠାକୁର, ଯାହାକୁ ନେଇ ଏବେ ଶ୍ରୀମନ୍ଦିର ପରିସରରେ ପ୍ରସ୍ତୁତି ଜୋରଦାର ଚାଲିଛି।ଦୋଳବେଦି ସଫାସୁଫା କାମ ଆରମ୍ଭ ହୋଇଛି। ଅନାବନା ଗଛ କଟାଯାଇ ପରିସର ସଫା କରାଯାଉଛି।
ଶ୍ରୀମନ୍ଦିର ଦର୍ଜୀ ସେବକମାନେ ଦୋଳବେଦି ପାଇଁ ଆବଶ୍ୟକ ଚାନ୍ଦୁଆ ପ୍ରସ୍ତୁତ କରୁଛନ୍ତି। ଠାକୁରେ ବିଜେ ପୂର୍ବରୁ ଦୋଳବେଦିରେ ମୋଟ ୧୯ଟି ଚାନ୍ଦୁଆ ଲାଗିବାକୁ ଥିବା ବେଳେ ଦେବଦେବୀଙ୍କ ଶ୍ରୀମସ୍ତକ ଉପରେ ଦୁଇଟି ନୂଆ ଚାନ୍ଦୁଆ ଶୋଭା ପାଇବ। ଶ୍ରୀମନ୍ଦିର କାର୍ଯ୍ୟାଳୟ ଛାତରେ ମରାମତି କାର୍ଯ୍ୟ ମଧ୍ୟ ଜାରି ରହିଛି। ନବକଳେବର ସମୟରେ ପ୍ରସ୍ତୁତ ହୋଇଥିବା ଚାନ୍ଦୁଆଗୁଡ଼ିକୁ ଦୋଳପୂର୍ଣ୍ଣମୀ ପୂର୍ବରୁ ମରାମତି କରାଯାଉଛି। ଦୋଳବେଦିକୁ ଦୁଇଟି ନୂଆ ବାନା ଓ ଚାନ୍ଦୁଆ ଯୋଗାଯିବ ବୋଲି ସେବକମାନେ ସୂଚନା ଦେଇଛନ୍ତି।ଦୋଳପୂର୍ଣ୍ଣମୀ ଅବସରରେ ନାଭିକଟା ମଣ୍ଡପ ନୀତି ସାରି ୭ ପାହାଚରେ ଥିବା ବିମାନକୁ ଦୋଳଗୋବିନ୍ଦ, ଲକ୍ଷ୍ମୀ ଓ ସରସ୍ୱତୀ ବିଜେ ହେବେ।
ବଡ଼ଦେଉଳରେ ୭ ଘେରା ବେଢ଼ା ବୁଲି ଦୋଳବେଦିକୁ ଦିଅଁ ବିଜେ କରାଯିବ। ଠାକୁରଙ୍କ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବହୁ ଶ୍ରଦ୍ଧାଳୁ ଓ ସାଧୁସନ୍ଥ ସାମିଲ ହେବେ।ଦେବଦେବୀ ଦୋଳିରେ ଅଧିଷ୍ଠିତ ହୋଇ ଝୁଲିବା ସହ ଫଗୁ ଖେଳରେ ଏକାକାର ହେବେ ଭକ୍ତ ଓ ଭଗବାନ। ଦୋଳୋତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଆଶା କରାଯାଉଛି। ଦୋଳବେଦିରେ ଠାକୁରଙ୍କ ଦର୍ଶନ କରି ଭକ୍ତମାନେ ପୂଣ୍ୟ ଅର୍ଜନ କରିବେ। ଏଥିସହ ରତ୍ନସିଂହାସନରେ ଶ୍ରୀବିଗ୍ରହ ସୁନାବେଶ ଓ ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

