Thu. Mar 5th, 2026

ନ୍ୟୁଜ ଡେକ୍ସ : ମଙ୍ଗଳବାର ଦୋଳପୂର୍ଣ୍ଣିମା ଅବସରରେ ସଂପୂର୍ଣ୍ଣ କେତୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ। ଏହି ଚନ୍ଦ୍ରଗ୍ରହଣ ଓଡ଼ିଶା ତଥା ଭାରତରେ ଆଂଶିକ ଭାବେ ଦୃଶ୍ୟ ହେବ। ଆଂଶିକ ଗ୍ରହଣ ଦିବା ୩ଟା ୨୦ରେ ଆରମ୍ଭ ଓ ସଂପୂର୍ଣ୍ଣ ଗ୍ରହଣ ଦିବା ୪ଟା ୩୪ରେ ଆରମ୍ଭ ହେବ। କିନ୍ତୁ ଦିନବେଳା ହେତୁ ଏହା ଦୃଶ୍ୟମାନ ହେବ ନାହିଁ।

ଅପରାହ୍ଣ ୫ଟା ୩୨ରେ ସଂପୂର୍ଣ୍ଣ ଗ୍ରହଣ ଶେଷ ହେବ, ଯାହା ମଧ୍ୟ ଓଡ଼ିଶା କିମ୍ବା ଭାରତରେ ଦୃଶ୍ୟ ହେବ ନାହିଁ। ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ୫ଟା ୫୦ରେ ଚନ୍ଦ୍ରୋଦୟ ଗ୍ରହଣ ଲାଗିଥିବା ଅବସ୍ଥାରେ ହେବ, ଯାହା ଦୃଶ୍ୟ ହେବ। ଏହା ଗ୍ରହଣର ଶେଷ ଆଂଶିକ ପର୍ଯ୍ୟାୟ ହେବ। ସନ୍ଧ୍ୟା ୬ଟା ୪୭ରେ ଆଂଶିକ ଗ୍ରହଣ ଶେଷ ସହ ସର୍ବମୋକ୍ଷ ହେବ।ଧାର୍ମିକ ନିୟମାନୁସାରେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଏବଂ ଗ୍ରସ୍ତୋଦୟ କ୍ଷେତ୍ରରେ ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଅନ୍ନଭୋଜନ ନିଷେଧ ହୁଏ। ଗ୍ରସ୍ତୋଦୟ ହେତୁ ଗ୍ରହଣ ଦୃଶ୍ୟର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ସୂର୍ଯ୍ୟୋଦୟଠାରୁ ହାଣ୍ଡିଛାଡ଼ ଓ ଦେବନୀତି ନିଷିଦ୍ଧ ରହିବ। ପ୍ରାତଃପୂଜା ଭୋର ୫ଟା ୫୦ ପୂର୍ବରୁ ସମାପ୍ତ କରିବାକୁ କୁହାଯାଇଛି।

ସନ୍ଧ୍ୟା ୬ଟା ୪୭ ପରେ ସ୍ନାନ କରି ଠାକୁରମାନଙ୍କ ମହାସ୍ନାନ କରାଇ ସନ୍ଧ୍ୟାକାଳୀନ ଦେବପୂଜା ଓ ରୋଷେଇବାସ କରାଯାଇପାରିବ। ତେବେ ଛୋଟ ପିଲା, ବୁଢ଼ାବୁଢ଼ୀ ଓ ରୋଗୀମାନଙ୍କ ପାଇଁ ଏହି ନିୟମ ପାଳନ ବାଧ୍ୟତାମୂଳକ ନୁହେଁ ବୋଲି ଜ୍ୟୋତିର୍ବିଦ୍ମାନେ କହିଛନ୍ତି।ଜ୍ୟୋତିର୍ବିଦ୍ମାନଙ୍କ ମତାନୁସାରେ ସିଂହ, କନ୍ୟା, ବିଛା, ଧନୁ, ମକର ଓ କୁମ୍ଭ ରାଶିର ବ୍ୟକ୍ତି ଏବଂ ୨, ୫, ୧୧, ୧୪, ୨୦ ଓ ୨୩ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଦର୍ଶନ ଅଶୁଭ ମନାଯାଇଛି। ଅନ୍ୟମାନଙ୍କ ପାଇଁ ଶୁଭ ହେଲେ ମଧ୍ୟ ପ୍ରଥମ ଦର୍ଶନ ପାଇଁ କୌଣସି ବାରଣ ନାହିଁ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *