ନ୍ୟୁଜ ଡେକ୍ସ : ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଘଟୁଛି। ଆକାଶରେ ନାଲି ରଙ୍ଗର ଜହ୍ନ ଦେଖାଯିବାରୁ ଏହାକୁ ନେଇ ଆକାଶପ୍ରେମୀମାନଙ୍କ ମଧ୍ୟରେ ଅପାର ଉତ୍ସାହ ଦେଖାଯାଇଛି। ଏହା ୨୦୨୬ ମସିହାର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେଉଥିବା ସହ ୨୦୨୯ ମସିହା ପୂର୍ବରୁ ଶେଷ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ବୋଲି ଜଣାପଡ଼ିଛି।ଭାରତୀୟ ସମୟ ଅନୁଯାୟୀ ଅପରାହ୍ଣ ପ୍ରାୟ ୩ଟା ୨୦ ମିନିଟରେ ଆଂଶିକ ଗ୍ରହଣ ଆରମ୍ଭ ହେବ।
ସନ୍ଧ୍ୟା ୫ଟା ୪ ମିନିଟରେ ପୂର୍ଣ୍ଣ ଗ୍ରହଣ ଦେଖାଯିବ ଓ ଏହା ପ୍ରାୟ ୫୭ ମିନିଟ୍ ପର୍ଯ୍ୟନ୍ତ ରହିବ। ସନ୍ଧ୍ୟା ୬ଟା ୪୭ ମିନିଟ୍ ସମୟରେ ଗ୍ରହଣ ଶେଷ ହେବ। ସମୁଦାୟ ଗ୍ରହଣର ଅବଧି ପ୍ରାୟ ୩ ଘଣ୍ଟା ୨୭ ମିନିଟ୍ ରହିବ ବୋଲି ସୂଚନା ମିଳିଛି।ସକାଳ ୬ଟା ୨୦ ପରଠାରୁ ଦେବନୀତି ଓ ପାକନିଷେଧ ଆରମ୍ଭ କରାଯାଇଛି। ୧୩ ଘଣ୍ଟାରୁ ଅଧିକ ସମୟ ଧରି ହାଣ୍ଡିଛାଡ଼ ପାଳନ କରାଯିବ। ଓଡ଼ିଶାରେ ଏହି ଚନ୍ଦ୍ରଗ୍ରହଣ ଆଂଶିକ ଭାବେ ଦୃଶ୍ୟମାନ ହେବ।
ବିଜ୍ଞାନୀମାନଙ୍କ କହିବା ଅନୁସାରେ ଚନ୍ଦ୍ରଗ୍ରହଣ ସୂର୍ଯ୍ୟ କିମ୍ବା ଚନ୍ଦ୍ର ଉପରେ କୌଣସି କ୍ଷତିକାରକ ପ୍ରଭାବ ପକାଏ ନାହିଁ। ତେଣୁ ଏହି ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ମଧ୍ୟ ନିର୍ଭୟରେ ଦେଖିପାରିବେ। ଜ୍ୟୋତିଷ ମତାନୁସାରେ ରାଶି ଅନୁଯାୟୀ କିଛି ରାଶି ପାଇଁ ଏହି ଗ୍ରହଣ ଶୁଭ ଫଳଦାୟକ ହୋଇପାରେ, ଯେତେବେଳେ କିଛି ରାଶି ପାଇଁ ଅଶୁଭ ପ୍ରଭାବ ଦେଖାଯାଇପାରେ।

