ନ୍ୟୁଜ ଡେକ୍ସ : ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀରେ ଭକ୍ତିମୟ ପରିବେଶ ଦେଖାଯାଇଛି। ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆଜି ପଡ଼ିଥିବାରୁ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଦୋଳପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଦୁର୍ଲଭ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହେବାକୁ ଥିବାରୁ ଭକ୍ତମାନଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ଦେଖାଯାଇଛି।
ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅତ୍ୟନ୍ତ ପ୍ରମୁଖ। ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର ଶୁକ୍ଳ ପ୍ରତିପଦା ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଦୋଳଉତ୍ସବ ଆୟୋଜିତ ହୋଇଥାଏ। ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୁଦନ ଓ ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କ ଭାଗ୍ୟରେ ଥିଲେ ମିଳିଥାଏ ବୋଲି ପାରମ୍ପରିକ ବିଶ୍ୱାସ ରହିଛି।ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ଦ୍ୱାର ଫିଟା, ମଙ୍ଗଳ ଆଳତୀ, ଅବକାଶ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ସମ୍ପନ୍ନ ହେବ। ପରେ ସ୍ୱର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ବିଭୂଷିତ ହୋଇ ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦେବେ।
ସୁନାବେଶ ସମ୍ପନ୍ନ ହେବା ପରେ ଆଜ୍ଞାମାଳ ପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବିଜେ କରି ମନ୍ଦିର ବେଢାକୁ ସାତଥର ପ୍ରଦକ୍ଷିଣ କରିବେ। ଭକ୍ତମାନଙ୍କ ହରିବୋଲ ଓ ହୁଳହୁଳି ଧ୍ୱନି ମଧ୍ୟରେ ଫଗୁ ଓ ଅବିର ଖେଳ ସହ ଠାକୁରଙ୍କ ବିମାନ ଦୋଳବେଦୀକୁ ବିଜେ କରିବ। ଦୋଳବେଦୀ ତଳେ ଓ ଉପରେ ସାତଘେରା ପ୍ରଦକ୍ଷିଣ ପରେ ଠାକୁର ଦୋଳରେ ବସି ଝୁଲିବେ। ପରେ ଦୋଳବେଦୀରେ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ।ଚନ୍ଦ୍ରଗ୍ରହଣ ପାଇଁ ନୀତିରେ କିଛି ପରିବର୍ତ୍ତନ ସହ ବିଶେଷ ସତର୍କତା ଗ୍ରହଣ କରାଯାଇଛି। ଶୃଙ୍ଖଳିତ ନୀତିକାନ୍ତି ଓ ଭକ୍ତମାନଙ୍କ ସୁବିଧାଜନକ ଦର୍ଶନ ପାଇଁ ମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି।

