ନ୍ୟୁଜ ଡେକ୍ସ : ଜୀବନ ଯୁଦ୍ଧରେ ହାରିଗଲେ ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଜୀବନ ମରଣର ସଂଘର୍ଷ ପରେ ଗତକାଲି ରାତିରେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରତିକ୍ରିୟାରେ କହିଛନ୍ତି ଆଶା କରିଥିଲୁ ଝିଅ ଜଣଙ୍କ ବଞ୍ଚିଯିବ ବୋଲି କିନ୍ତୁ ସମ୍ଭବ ହେଲା ନାହିଁ ।
ସେପଟେ, ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଏଥିପାଇଁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ସୂଚନାଯୋଗ୍ୟ, ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ଥିଲେ ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି ।
ସୋମବାର ରାତି ୧୧ଟା ୪୬ମିନିଟରେ ମୃତ୍ୟୁ ଘଟିଛି । ଛାତ୍ରୀଙ୍କ ମୃତ୍ୟୁ ପରେ ବିଳମ୍ବିତ ରାତିରେ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲା ।ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ଯୋଗେ ଛାତ୍ରୀଙ୍କ ମୃତଦେହକୁ ତାଙ୍କ ନିଜ ଘର ବାଲେଶ୍ବର ଭୋଗରାଇ ଅଞ୍ଚଳକୁ ନିଆଯାଇଛି । ବାଲେଶ୍ବର ଭୋଗରାଇରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ହେବ ବୋଲି ଜଣାପଡ଼ିଛି ।

