Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଚଳିତ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଚାଷୀଙ୍କ ପାଇଁ ଦୁଃଖ, ଅନିଶ୍ଚୟତା ଓ ଶୋଷଣର ଆଉ ଏକ ଅଧ୍ୟାୟ ପାଲଟିଛି। ପ୍ରଶାସନିକ ଉଦାସୀନତା, ମଣ୍ଡି ପରିଚାଳନାରେ ବ୍ୟବସ୍ଥାଗତ ଅବ୍ୟବସ୍ଥା ଏବଂ ନିର୍ବାଚନୀ ପ୍ରତିଶ୍ରୁତି ପାଳନରେ ବିଜେପି ସରକାରର ବିଫଳତା ଯୋଗୁ ଚାଷୀମାନେ ଭୟଙ୍କର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହି ପରିସ୍ଥିତିକୁ ନେଇ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ କଠୋର ଓ ସ୍ପଷ୍ଟ ଭାଷାରେ ଲେଖା ପତ୍ର ମାଧ୍ୟମରେ ସରକାରକୁ ଘେରିଛନ୍ତି।ନବୀନ ପଟ୍ଟନାୟକ କହିଛନ୍ତି ଯେ, ୨୦୨୪ ନିର୍ବାଚନ ସମୟରେ ବିଜେପି ନିଜର ଇସ୍ତାହାରରେ ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ଓ କଟ୍ନି-ଛଟ୍ନି ପ୍ରଥା ବନ୍ଦ କରିବାକୁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବର୍ତ୍ତମାନ ରାଜ୍ୟର ମଣ୍ଡିଗୁଡ଼ିକ ଚାଷୀଙ୍କ ପାଇଁ ନିର୍ଯାତନା କେନ୍ଦ୍ରରେ ପରିଣତ ହୋଇଛି। ଧାନ କିଣା ବେଳେ ବିଭିନ୍ନ ଆଳ ଦେଖାଇ କ୍ୱିଣ୍ଟାଲ ପିଛା ୫ରୁ ୭ କେଜି ପର୍ଯ୍ୟନ୍ତ କଟ୍ନି-ଛଟ୍ନି କରାଯାଉଥିବା ଅଭିଯୋଗ ଆସୁଛି। ମିଲର ଓ ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବାରୁ ଚାଷୀମାନେ ନିଜର କଠିନ ପରିଶ୍ରମର ଯଥୋଚିତ ମୂଲ୍ୟ ପାଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ପରିସ୍ଥିତିକୁ ରୋକିବା ପାଇଁ ନବୀନ ପଟ୍ଟନାୟକ ମଣ୍ଡିଗୁଡ଼ିକରେ ତୁରନ୍ତ ସ୍ପେଶାଲ ସ୍କ୍ୱାଡ୍ ନିୟୋଜନ କରିବା, ଦୋଷୀ ମିଲ୍ ମାଲିକ ଓ ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଦାବି କରିଛନ୍ତି।ସେହିପରି ବିଜେପି ଘୋଷଣା କରିଥିବା କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନ୍ପୁଟ୍ ସବ୍ସିଡି ନେଇ ମଧ୍ୟ ଗୁରୁତର ଅଭିଯୋଗ ଉଠାଇଛନ୍ତି ନବୀନ। ସରକାର ଏହି ସବ୍ସିଡି ପାଇଁ ଚାଷୀ ପିଛା ସର୍ବାଧିକ ୧୫୦ କ୍ୱିଣ୍ଟାଲ ସିଲିଂ ଧାର୍ଯ୍ୟ କରିଥିବାକୁ ସେ ପ୍ରତିଶ୍ରୁତି ଭଙ୍ଗ ବୋଲି କହିଛନ୍ତି। ଏହି ସିଲିଂ ସର୍ତ୍ତ ତୁରନ୍ତ ପ୍ରତ୍ୟାହାର କରିବା ସହ ପଞ୍ଜୀକୃତ ସମସ୍ତ ଚାଷୀଙ୍କଠାରୁ ଧାନ କିଣାଯିବାକୁ ସେ ଦାବି କରିଛନ୍ତି।ନବୀନ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ମଣ୍ଡିରେ ସର୍ବନିମ୍ନ ସୁବିଧାର ଅଭାବ, ଟୋକନ୍ ବ୍ୟବସ୍ଥାରେ ବିଫଳତା ଓ ପ୍ରାପ୍ୟ ଟଙ୍କା ଦେବାରେ ଅହେତୁକ ବିଳମ୍ବ ଚାଷୀଙ୍କୁ ଆନ୍ଦୋଳନାତ୍ମକ ପଥ ଅନୁସରଣ କରିବାକୁ ବାଧ୍ୟ କରୁଛି।

ସେହିହେତୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଡିବିଟି ଜରିଆରେ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯିବା ଏବଂ ୭୨ ଘଣ୍ଟା ମଧ୍ୟରେ ମଣ୍ଡିଗୁଡ଼ିକରେ ଖୋଲାରେ ପଡ଼ିଥିବା ସମସ୍ତ ଧାନ ୧୦୦ ପ୍ରତିଶତ ଉଠାଇବାକୁ ସରକାରକୁ ଦୃଢ଼ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି। ଏହି ପତ୍ର ସହ ଚାଷୀ ସମସ୍ୟା ପୁନର୍ବାର ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁରେ ଆସିଥିବା ବେଳେ, ସରକାର କେଉଁ ପଦକ୍ଷେପ ନେବ ତାହାକୁ ଏବେ ସମଗ୍ର ଚାଷୀ ସମୁଦାୟ ଦୃଷ୍ଟିରେ ରଖିଛି।

Leave a Reply

Your email address will not be published. Required fields are marked *