ନ୍ୟୁଜ ଡେକ୍ସ : ଧାନ ସଂଗ୍ରହ ପାଇଁ ପଞ୍ଜିକରଣ କରିଥିବା ଚାଷୀମାନଙ୍କୁ ସହଜତା ଯୋଗାଇବା ଲକ୍ଷ୍ୟରେ ଓଡ଼ିଶା ସରକାର ବୁଧବାର ଟୋକନର ବୈଧତା ସମୟସୀମା ବୃଦ୍ଧି କରିଛନ୍ତି। ଏନେଇ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର ଏକ ଭିଡିଓ ସନ୍ଦେଶ ମାଧ୍ୟମରେ ସୂଚନା ଦେଇଛନ୍ତି।ମନ୍ତ୍ରୀଙ୍କ କହିବା ଅନୁସାରେ, ରାଜ୍ୟରେ ଏପର୍ଯ୍ୟନ୍ତ ୬୩,୬୫,୦୦୦ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି।
ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୯୫ ପ୍ରତିଶତ ଧାନ କ୍ରୟ ପ୍ରକ୍ରିୟା ସମାପ୍ତ ହୋଇସାରିଛି। ଚଳିତ ବର୍ଷ ପୂର୍ବତନ ରେକର୍ଡକୁ ଅତିକ୍ରମ କରି ୮୦,୦୦,୦୦୦ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ଧାନ କିଣିବାକୁ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି।ଚାଷୀମାନଙ୍କୁ ସମୟମତେ ଅର୍ଥ ପ୍ରଦାନ କରାଯାଉଥିବା ବିଷୟରେ ମନ୍ତ୍ରୀ ଜଣାଇଛନ୍ତି ଯେ, ଏପର୍ଯ୍ୟନ୍ତ ୧୭,୦୦୦ କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର କରାଯାଇଛି। ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଦେୟ ପ୍ରକ୍ରିୟା ସମାପ୍ତ କରାଯାଉଥିବା ସେ ସ୍ପଷ୍ଟ କରିଛନ୍ତି।
ଏହି କ୍ରୟ ଅଭିଯାନ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାରି ରହିବାକୁ ଥିବାବେଳେ, ଚାଷୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଟୋକନ ବୈଧତାକୁ ଅତିରିକ୍ତ ୧୫ ଦିନ ବଢ଼ାଇବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି। ପଞ୍ଜିକୃତ କେନ୍ଦ୍ରୀୟ କମାଣ୍ଡ ସେଣ୍ଟର ମାଧ୍ୟମରେ ସମଗ୍ର ଧାନ କ୍ରୟ ପ୍ରକ୍ରିୟାର ତଦାରଖ କରାଯାଉଥିବା ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

