ନ୍ୟୁଜ ଡେକ୍ସ: ରାୟପୁର-ଦିଲ୍ଲୀ ଇଣ୍ଡିଗୋ ଫ୍ଲାଇଟ୍ ସଂଖ୍ୟା ୬ଇ ୬୩୧୩ ଶନିବାର ଦିଲ୍ଲୀ ଏୟାରପୋର୍ଟ ନିକଟବର୍ତ୍ତି ହେବା ବେଳକୁ ଅଚାନକ ଧୂଳି ଝଡ଼ରେ ଫସି ଯାଇଥିଲା। ଖରାପ ପାଗ ଓ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ପବନ ଯୋଗୁ ବିମାନକୁ ଲ୍ୟାଣ୍ଡିଂର ଠିକ ପୂର୍ବରୁ ପୁଣି ଆକାଶକୁ ଉଠିବାକୁ ପଡିଛି। ପାଇଲଟ ବିମାନକୁ ସୁରକ୍ଷିତ ଉଚ୍ଚତାକୁ ଉଠାଇବା ପରେ ଏୟାରପୋର୍ଟ ଆଖପାଖରେ ଚକ୍କର ଲଗାଇଥିଲେ।
ସୂଚନା ଅନୁଯାୟୀ, ବିମାନଟି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାର କିଛି ସମୟ ପୂର୍ବରୁ ହଠାତ୍ ପାଗ ବଦଳି ଯାଇଥିଲା ଓ ଧୂଳି ଝଡ଼ ଆରମ୍ଭ ହୋଇଯାଇଥିଲା। ଯାହା ଫଳରେ ରନୱେରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଇଥିଲା। ତେବେ ବିମାନଟି ଯେତେବେଳେ ଅବତରଣ କରିବାକୁ ଯାଉଥିଲା ସେତିକି ବେଳେ ପାଇଲଟ୍ ଯାତ୍ରୀମାନଙ୍କୁ ଜଣାଇ ଦେଇଥିଲେ ଯେ ବାହାରେ ପବନର ବେଗ ଘଣ୍ଟା ପ୍ରତି ୮୦ କିଲୋମିଟର ରହିଛି ତେଣୁ ଅବତରଣ ପାଇଁ ପାଗ ଅନୁକୂଳ ନୁହେଁ।
ଏଥିସହିତ ଅବତରଣକୁ ବାତିଲ କରିଥିଲେ ଏବଂ ପାଗ ନ ସୁଧୁରିବା ପର୍ଯ୍ୟନ୍ତ ବିମାନକୁ ଉଡାଇଥିଲେ। ପରେ ବିମାନଟିକୁ ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ରବିବାର ଦିନ ଦିଲ୍ଲୀରେ ହଠାତ୍ ପାଣିପାଗ ପରିବର୍ତ୍ତନ ହେବା ପରେ ଧୂଳି ଝଡ଼ ସଂଗେସଂଗେ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ବର୍ଷା ହୋଇଥିଲା।
