ନ୍ୟୁଜ ଡେକ୍ସ : ୨୦୧୨ ମସିହାରୁ ଆରମ୍ଭ ହୋଇଥିବା ପ୍ରୟାସ ଆଜିପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଜିରାଫ୍ ପ୍ରଜନନ ଆଜି ବି ସ୍ୱପ୍ନ ହୋଇ ରହିଯାଇଛି। ପ୍ରାଣୀଉଦ୍ୟାନର ପ୍ରଥମ ଜିରାଫ ‘ଖୁସି’ ବୟସ ଗଡ଼ିଗଡ଼ି ବୃଦ୍ଧା ହୋଇଗଲେ ମଧ୍ୟ ମାଆ ହୋଇପାରିଲାନି। କର୍ତ୍ତୃପକ୍ଷଙ୍କ ଅନେକ ଉଦ୍ୟମ ସତ୍ତ୍ୱେ ଖୁସିର ଭାଗ୍ୟରେ ମାତୃତ୍ୱର ସୌଭାଗ୍ୟ ଆସିଲା ନାହିଁ।୨୦୧୨ ଜୁଲାଇ ୧୧ ତାରିଖରେ ପାଟନା ଚିଡ଼ିଆଖାନାରୁ ଖୁସିକୁ ନନ୍ଦନକାନନକୁ ଅଣାଯାଇଥିଲା।
ସେତେବେଳେ ତାର ବୟସ ୩ ବର୍ଷ ଥିଲା ଏବଂ ସେ ଏକାକୀ ଆସିଥିଲା। ସାଧାରଣତଃ ଜିରାଫ୍ମାନେ ୩ରୁ ୫ ବର୍ଷ ବୟସରେ ଯୌବନପ୍ରାପ୍ତ ହୁଅନ୍ତି। ତେଣୁ ଖୁସି ପାଇଁ ପୁରୁଷ ସାଥୀ ଖୋଜିବାରେ କର୍ତ୍ତୃପକ୍ଷ ଲାଗିପଡ଼ିଥିଲେ। ଦୀର୍ଘ ୪ ବର୍ଷ ପରେ ୨୦୧୬ ଫେବ୍ରୁଆରି ୨୫ରେ ଆଲିପୁର ଚିଡ଼ିଆଖାନାରୁ ଅଣ୍ଡିରା ଜିରାଫ ‘ଜୟ’କୁ ଅଣାଯାଇଥିଲା। ଜୟ ନବଯୌବନରେ ପ୍ରବେଶ କରିଥିବାରୁ ଖୁସି ଓ ଜୟଙ୍କ ମିଳନରୁ ପ୍ରଜନନ ହେବ ବୋଲି ବହୁ ଆଶା କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଆସିବାର ମାତ୍ର ୬ ଦିନ ପରେ ଜୟ ରକ୍ତ ସଂକ୍ରମଣଜନିତ ରୋଗରେ ପ୍ରାଣ ହାରାଇଥିଲା। ଏହା ସହିତ ପ୍ରଜନନ ଆଶା ଭଙ୍ଗ ହୋଇଥିଲା ଏବଂ ଖୁସି ପୁନଃ ଏକାକୀ ହୋଇଯାଇଥିଲା। ୨୦୨୪ ପର୍ଯ୍ୟନ୍ତ ସେ ୧୦୦ ନମ୍ବର ଖୁଆଡ଼ରେ ଏକାକୀ ରହୁଥିଲା।୨୦୨୪ ସେପ୍ଟେମ୍ବର ୨ ତାରିଖରେ ପୁଣି ଆଲିପୁର ଚିଡ଼ିଆଖାନାରୁ ଦୁଇଟି ଜିରାଫ ଅଣାଯାଇଛି। ବର୍ତ୍ତମାନ ଅଣ୍ଡିରା ଜିରାଫ ‘ଆନନ୍ଦ’ର ବୟସ ୫ ବର୍ଷ ହୋଇଥିବାବେଳେ ମାଈ ଜିରାଫ ‘ମୁସ୍କାନ’ର ବୟସ ମାତ୍ର ଅଢେଇ ବର୍ଷ।
ଆନନ୍ଦ ଯୌବନପ୍ରାପ୍ତ ହୋଇଥିଲେ ମଧ୍ୟ ମୁସ୍କାନଙ୍କୁ ଯୌବନ ପ୍ରାପ୍ତ କରିବାକୁ ଆଉ ଦେଢ଼ରୁ ଦୁଇ ବର୍ଷ ସମୟ ଲାଗିବ। ତେଣୁ ଏବେ ଆନନ୍ଦ ଓ ମୁସ୍କାନଙ୍କ ମିଳନ ସମ୍ଭବ ନୁହେଁ।ଅନ୍ୟପଟେ ୧୬ ବର୍ଷରେ ପହଞ୍ଚିଥିବା ଖୁସି ପ୍ରାୟତଃ ବୃଦ୍ଧା ହୋଇସାରିଛି ଏବଂ ତାଙ୍କର ଗର୍ଭଧାରଣ ସମ୍ଭାବନା ନାହିଁ। ଆନନ୍ଦ ଓ ଖୁସିଙ୍କ ବୟସ ମଧ୍ୟରେ ୧୧ରୁ ୧୨ ବର୍ଷର ତାରତମ୍ୟ ଥିବାରୁ ସେମାନଙ୍କ ମିଳନ ମଧ୍ୟ ସମ୍ଭବ ନୁହେଁ। ଏହି ପରିସ୍ଥିତିରେ ମୁସ୍କାନ ଯୌବନପ୍ରାପ୍ତ ହେବା ପର୍ଯ୍ୟନ୍ତ ନନ୍ଦନକାନନରେ ଜିରାଫ ପ୍ରଜନନ ପାଇଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଆଳୋଚନା ହେଉଛି।

