ନ୍ୟୁଜ ଡେକ୍ସ : ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର। ଦୀର୍ଘଦିନ ପରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପୁଣିଥରେ ନୌକା ବିହାର ସୁବିଧା ଆରମ୍ଭ ହେବାକୁ ଯାଉଛି। ଏଥର ନୌକା ବିହାର ପରିଚାଳନାର ସମ୍ପୂର୍ଣ୍ଣ ଦାୟିତ୍ୱ ନନ୍ଦନକାନନ କର୍ତ୍ତୃପକ୍ଷ ନିଜ ହାତକୁ ନେଇଥିବା ସୂଚନା ମିଳିଛି। ଦୀର୍ଘ ସମୟ ଧରି ଏହି ସେବା ବନ୍ଦ ଥିବାରୁ ପର୍ଯ୍ୟଟକମାନେ ନିରାଶ ହୋଇ ଫେରୁଥିଲେ।ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ କହିଛନ୍ତି ଯେ, ପର୍ଯ୍ୟଟକମାନେ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ କାଞ୍ଜିଆ ହ୍ରଦରେ ନୌକା ବିହାରର ମଜା ନେଇପାରିବେ।
ଏହି ଉଦ୍ଦେଶ୍ୟରେ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ମଧ୍ୟରେ ଥିବା କାଞ୍ଜିଆ ହ୍ରଦର ସଫେଇ କାର୍ଯ୍ୟ ତ୍ୱରାନ୍ୱିତ ଭାବରେ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୧୨ଟି ବୋଟ୍ ଅଣାଯାଇଛି। ସେଥିରୁ ୬ଟି ଦୁଇ ଜଣିଆ ଓ ୬ଟି ଚାରି ଜଣିଆ ବୋଟ୍ ରହିଛି। ନନ୍ଦନକାନନ ପ୍ରତିଷ୍ଠା ଦିବସ ପୂର୍ବରୁ ପର୍ଯ୍ୟଟକମାନଙ୍କୁ ପୁଣି ନୌକା ବିହାର ସୁବିଧା ମିଳିବ ବୋଲି ଆଶା କରାଯାଉଛି।ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ କହିଛନ୍ତି ଯେ, ପୂର୍ବରୁ ଘରୋଇକରଣ ଯୋଗୁ ନୌକା ବିହାର ସଂପୃକ୍ତ ସଂସ୍ଥା ମନମାନି ଭାବେ କାର୍ଯ୍ୟ କରୁଥିଲା। ବହୁ ସମୟରେ ବିପଦପୂର୍ଣ୍ଣ ଭାବରେ, ବିନା ସୁରକ୍ଷା ଜ୍ୟାକେଟ୍ରେ ପର୍ଯ୍ୟଟକଙ୍କୁ ନୌକା ବିହାର କରାଯାଉଥିଲା। ଛୋଟ ପିଲାମାନେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବିନା ନୌକାରେ ବୁଲାଯାଉଥିଲେ।
ଟଙ୍କା ରୋଜଗାର ପାଇଁ ନିୟମକୁ ଲଂଘନ କରାଯାଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏବେ ନୌକା ବିହାର ସୁବିଧା ଘରୋଇକରଣରୁ ମୁକ୍ତ ହୋଇ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣରେ ଆସିଥିବାରୁ, ସମସ୍ତ ସୁରକ୍ଷା ନିୟମକୁ କଡାକଡି ପାଳନ କରାଯିବ ବୋଲି କହିଛନ୍ତି ସନଥ କୁମାର ନାରାୟଣ। ଏହାଦ୍ୱାରା ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକଙ୍କ ଆକର୍ଷଣ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।

