ନ୍ୟୁଜ ଡେକ୍ସ : ଆଜି ନନ୍ଦନକାନନ ପ୍ରାଣୀଉଦ୍ୟାନର ୬୬ତମ ପ୍ରତିଷ୍ଠା ଦିବସ। ୧୯୬୦ ମସିହା ଆଜିର ଦିନରେ ପ୍ରତିଷ୍ଠିତ ହୋଇଥିବା ଏହି ବିଶ୍ୱପ୍ରସିଦ୍ଧ ପ୍ରାଣୀଉଦ୍ୟାନର ପ୍ରତିଷ୍ଠା ଦିବସ ଏବର୍ଷ ମହା ଆଡ଼ମ୍ବର ଓ ଉତ୍ସାହର ସହିତ ପାଳିତ ହେଉଛି।ଏହି ଅବସରରେ ରାଜ୍ୟର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଷ ରାମସିଂ ଖୁଣ୍ଟିଆ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଭିନ୍ନ ନୂଆ ଖୁଆଡ଼ର ଶୁଭ ଉଦଘାଟନ କରିବେ।
ଛୋଟ ବିରାଡ଼ି ଖୁଆଡ଼, ସମ୍ମୁଖ କାଚ ଦୃଶ୍ୟମାନ କଲରାପତରିଆ ବାଘ ଖୁଆଡ଼, ଶାଳିଆପତନି ଓ ଡାଳିଓଧ ଖୁଆଡ଼ ସମୂହ, ଉଦ୍ୟାନ କୃଷି, ତୃଣଭୋଜୀ କ୍ୱାରେଣ୍ଟାଇନ ଏବଂ ସରୀସୃପ କ୍ୱାରେଣ୍ଟାଇନର ଉଦଘାଟନ କାର୍ଯ୍ୟକ୍ରମ ରହିଛି।ଏହାସହିତ ପ୍ରାଣୀଉଦ୍ୟାନରେ ଜନ୍ମ ଗ୍ରହଣ କରିଥିବା ବାଘ ଛୁଆ, ସିଂହ ଛୁଆ, ସିମ୍ପାଞ୍ଜି ଛୁଆ ଓ ହିମାଳୟ କଳାଭାଲୁ ଛୁଆଙ୍କର ନାମକରଣ କରାଯିବ।
ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ଓ ପାରଦର୍ଶିତା ଦେଖାଇଥିବା କାର୍ଯ୍ୟରତ କର୍ମଚାରୀମାନଙ୍କୁ ଅତିଥିମାନଙ୍କ ହାତରୁ ପୁରସ୍କୃତ କରାଯିବ। ନୂଆ ଖୁଆଡ଼ ଉଦଘାଟନ ପରେ ପର୍ଯ୍ୟଟକମାନେ ଅଧିକ ସୁବିଧା ସହିତ ନନ୍ଦନକାନନ ଦର୍ଶନର ଆନନ୍ଦ ଉଠାଇପାରିବେ ଏବଂ ନୂଆ ଜୀବଜନ୍ତୁମାନଙ୍କୁ ନିକଟରୁ ଦେଖିବା ସୁଯୋଗ ମିଳିବ। ପ୍ରତିଷ୍ଠା ଦିବସକୁ ନେଇ ନନ୍ଦନକାନନ ପରିସର ସମଗ୍ର ଉତ୍ସବମୟ ପରିବେଶରେ ମୁଗ୍ଧ ହୋଇଉଠିଛି।

