Sat. Feb 21st, 2026

ନ୍ୟୁଜ ଡେକ୍ସ : ଧାନ ମଣ୍ଡିରେ ଅବ୍ୟବସ୍ଥା, ଚାଷୀ ସମସ୍ୟା, ପ୍ରଦୂଷଣ ଓ ଟାଟା ପାୱାରର ମନମୁଖୀ କାର୍ଯ୍ୟ ବିରୋଧରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରହିବ।ଏହି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଜଣାଇଛି କଂଗ୍ରେସ ଦଳ।

ଏନେଇ ପିସିସି ସଭାପତି ଭକ୍ତ ଦାସ ଘୋଷଣା କରି କହିଛନ୍ତି ଯେ ଚାଷୀଙ୍କ ନ୍ୟାୟସଙ୍ଗତ ଦାବି ପାଇଁ ଏହି ଆନ୍ଦୋଳନ ଅତ୍ୟନ୍ତ ଆବଶ୍ୟକ। ସେହିପରି ସିପିଆଇ ପକ୍ଷରୁ ମଧ୍ୟ ବନ୍ଦ ଡାକରାକୁ ସମର୍ଥନ ମିଳିଛି।ନବ ନିର୍ମାଣ କୃଷକ ସଂଗଠନ ସହ ନବ ନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛି। ସଂଗଠନର ଦାବି ହେଉଛି, ସମସ୍ତ ଚାଷୀଙ୍କୁ ଧାନ ଏମ୍ଏସ୍ ପି ସହ ଇନପୁଟ ସବସିଡି ମିଶାଇ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦରରେ କିଣାଯାଉ।

ସେହିପରି ଧାନ କିଣିବା ପରେ ସଠିକ୍ ସମୟରେ ଚାଷୀଙ୍କୁ ଟଙ୍କା ପ୍ରଦାନ, ଟୋକେନ୍ ସମସ୍ୟାର ସମାଧାନ ଏବଂ ଦଲାଲ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସଂଗଠନ ଦାବି କରିଛି।ସଂଗଠନ ପକ୍ଷରୁ କୁହାଯାଇଛି ଯେ ଏହି ବନ୍ଦ ଡାକରାରେ ଜରୁରୀ ସେବାକୁ ବାଦ ଦିଆଯିବ। ଚାଷୀଙ୍କ ଅଧିକାର ଓ ନ୍ୟାୟ ପାଇଁ ଏହି ଆନ୍ଦୋଳନ ରାଜ୍ୟବ୍ୟାପୀ ଭାବେ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସଂଗଠନ ଆଶା ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *