ନ୍ୟୁଜ ଡେକ୍ସ : ଶୀତ ଋତୁ ଆସିବା ସହିତ ରାଜ୍ୟରେ ପର୍ଯ୍ୟଟନ ଋତୁ ଆରମ୍ଭ ହେଉଛି। ଏହି ସମୟରେ ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ି ପୁନିଥରେ ପର୍ଯ୍ୟଟକଙ୍କ ଭିଡ଼ରେ ମେଲିବାକୁ ପ୍ରସ୍ତୁତ। ରାଜ୍ୟ ସରକାରଙ୍କ ଅନୁଦାନରେ ଚଳିତ ବର୍ଷ ମଧ୍ୟ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍ ପ୍ରକଳ୍ପ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।ଆସନ୍ତା ନଭେମ୍ବର ୧୫ ତାରିଖରୁ ଏହି ଇକୋ ରିଟ୍ରିଟ୍ ସେବା ଆରମ୍ଭ ହେବ।
ଏଠାରେ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ିର ପ୍ରକୃତିର ମନମୋହକ ଦୃଶ୍ୟ, ପାହାଡ଼ିଆ ପରିବେଶ ଓ ଶୀତଳ ପବନର ଅନନ୍ୟ ଅନୁଭବ ଉପଭୋଗ କରିପାରିବେ।ଏବେକାର ଇକୋ ରିଟ୍ରିଟ୍ରେ ୨୫ଟି ବିଶାଳ ଓ ଆଧୁନିକ ସୁବିଧାସମ୍ପନ୍ନ ତମ୍ବୁ ରହିବ, ଯେଉଁଥିରେ ପ୍ରତି ତମ୍ବୁର ଭାଡ଼ା ୫,୯୮୬ ଟଙ୍କା ରଖାଯାଇଛି। ରହିବା ଓ ଖାଦ୍ୟ ସୁବିଧାକୁ ସୁଲଭ ଏବଂ ଆରାମଦାୟକ ରଖିବା ପାଇଁ ସରକାରୀ ପକ୍ଷରୁ ବିଶେଷ ବ୍ୟବସ୍ଥା ହେଉଛି। ପର୍ଯ୍ୟଟକମାନେ ଅନଲାଇନ୍ ବୁକିଂ ମାଧ୍ୟମରେ ତମ୍ବୁ ବୁକ୍ କରି ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ର ଅଭିଜ୍ଞତା ଉପଭୋଗ କରିପାରିବେ।
ବାହାରୁ ଆସୁଥିବା ଅତିଥିମାନଙ୍କ ପାଇଁ ସୁରକ୍ଷା ଓ ସୁବିଧା ସମ୍ପର୍କିତ ସମସ୍ତ ବ୍ୟବସ୍ଥା ମଧ୍ୟ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଶ୍ଚିତ କରାଯାଇଛି।ଏହି ଇକୋ ରିଟ୍ରିଟ୍ ପ୍ରକଳ୍ପ ଦାରିଙ୍ଗବାଡ଼ିର ପର୍ଯ୍ୟଟନ କ୍ଷେତ୍ରକୁ ନୂତନ ଗତି ଦେବ ବୋଲି ଆଶା ରହିଛି। ଏହା ଫଳରେ ଅଞ୍ଚଳର ଆର୍ଥିକ ଉନ୍ନତି ସହ ଲୋକାଲ ଉଦ୍ୟମୀମାନେ ମଧ୍ୟ ଲାଭାନ୍ବିତ ହେବେ।ସେହିପରି, ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ ସମୀକ୍ଷା ବୈଠକ ଫୁଲବାଣୀ ଆଇଟିଡିଏ କନଫରେନ୍ସ ହଲରେ ଜିଲ୍ଲାପାଳ ବେଦ ଭୂଷଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ବୈଠକରେ ସମସ୍ତ ବିଭାଗ ସହଯୋଗରେ ପ୍ରକଳ୍ପ କିଭଳି ସଫଳତାର ସହ ସମ୍ପାଦିତ ହେବ ସେନେଇ ଆଲୋଚନା ହୋଇଥିଲା।

