Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆଜି ୧୨ ଘଣ୍ଟିଆ ବରଗଡ଼ ସହର ବନ୍ଦ । କୁର୍ଲା ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣାର ନ୍ୟାୟ ଦାବିରେ ସଚେତନ ନାଗରିକ ମଞ୍ଚଙ୍କ ସହ ବିରୋଧୀଙ୍କ ପକ୍ଷରୁ ବନ୍ଦ ପାଳନ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ହେବ ବନ୍ଦ ପାଳନ । ଟାଉନରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବ । ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ୪୮ ଘଣ୍ଟା ପରେ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ପୀଡ଼ିତା ଏବେ ମଧ୍ୟ ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବରଗଡ଼ ଡାକରା ଦେଇଛି ସଚେତନ ନାଗରିକ ମଞ୍ଚ। ବିଜେଡି, ବ୍ୟବସାୟୀ ସଂଘ, ବିଭିନ୍ନ ସାମାଜିକ ସଙ୍ଗଠନ ସମେତ ୩୦ ରାଜନୈତିକ ଓ ଅଣରାଜନୈତିକ ସଙ୍ଗଠନ ଏହାକୁ ସମର୍ଥନ ଜଣାଇଛନ୍ତି । ସକାଳୁ ସହର ବିଭିନ୍ନ ଛକରେ ବନ୍ଦ ପାଳନ ହେଉଥିବାର ଦେଖିବାକୁ ମିଳିଛି। ବିଭିିନ୍ନ ସଂଗଠନ ପକ୍ଷରୁ ପିକେଟିଂ ସହ ରାସ୍ତାରୋକ କରୁଛନ୍ତି। ଅତ୍ୟାବଶ୍ୟକ ସେବା ଓ ଜରୁରୀ କାଳୀନ ସେବାକୁ ବାଦ ଦେଇ ବିଭିନ୍ନ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ କାର୍ଯ୍ୟାଳୟ ସକାଳ ୬ ଟା ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ବନ୍ଦ ରହିବ ।ଅପରପକ୍ଷେ ଯୁବତୀଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟ ଆସିଛି । ତାଙ୍କ ଗୁପ୍ତାଙ୍ଗରେ କୌଣସି କ୍ଷତ ନାହିଁ । ଏଥିରୁ ଦୁଷ୍କର୍ମ ହୋଇ ନ ଥିବା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ଭିମ୍ସାର୍ ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ଲାଲମୋହନ ନାୟକ ।

ଏ ସମ୍ପର୍କିତ ରିପୋର୍ଟ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ତରଫରୁ ବରଗଡ଼ ପୁଲିସ୍କୁ ପ୍ରଦାନ କରାଯାଇଛି । ଯୁବତୀଙ୍କ ଚିକିତ୍ସା ବୁର୍ଲା ଭିମ୍ସାରର ମହିଳା ସର୍ଜରୀ ବିଭାଗରେ ଚାଲିଛି । ତାଙ୍କ ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରୁ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ପରିଳକ୍ଷିତ ହେଉଛି । ସୁସ୍ଥ ହେବା ପରେ ତାଙ୍କୁ ମେଡିକାଲରୁ ଡିସ୍ଚାର୍ଜ କରାଯିବ ବୋଲି ଡା. ନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *