ନ୍ୟୁଜ ଡେକ୍ସ : ଦେଶର ଷ୍ଟକ୍ ବଜାର ଏବେ ଗଭୀର ଅସ୍ଥିରତା ମଧ୍ୟରେ ପସିଛି। ଗତ ଦୁଇ ଦିନ ଧରି ଲାଗାତାର ବିକ୍ରି ଚାପରେ ସେନସେକ୍ସ ଓ ନିଫ୍ଟି ଦୁହେଁ ଭାରି ହ୍ରାସ ଦେଖିଛନ୍ତି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ମୁଖ୍ୟ ସୂଚକ ସେନସେକ୍ସ ୧୦୬୬ ପଏଣ୍ଟ ଖସି ୮୨,୧୮୦.୪୭ ସ୍ତରରେ ବନ୍ଦ ହୋଇଥିବାବେଳେ, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୫୩ ପଏଣ୍ଟ ହ୍ରାସ ସହିତ ୨୫,୨୩୨.୫ ସ୍ତରରେ ଅଟକିଛି।
ଗତକାଲି ସହିତ ତୁଳନା କଲେ ସେନସେକ୍ସରେ ୧.୨୮ ପ୍ରତିଶତ ଓ ନିଫ୍ଟିରେ ୧.୩୮ ପ୍ରତିଶତ ହ୍ରାସ ରେକର୍ଡ ହୋଇଛି। ଦୁଇ ଦିନ ମିଶାଇଲେ ସେନସେକ୍ସ ପ୍ରାୟ ୧୩୯୦ ପଏଣ୍ଟ ଓ ନିଫ୍ଟି ୧.୮ ପ୍ରତିଶତ ତଳକୁ ଯାଇଛି। ଏହାର ସିଧା ପ୍ରଭାବ ନିବେଶକଙ୍କ ସମ୍ପତ୍ତି ଉପରେ ପଡ଼ିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିମାନଙ୍କ ମୋଟ ବଜାରପୁଞ୍ଜି ପ୍ରାୟ ୧୨ ଲକ୍ଷ କୋଟି ଟଙ୍କା କମି ୪୫୬ ଲକ୍ଷ କୋଟିରେ ଆସିଯାଇଛି। ଗତ ଶୁକ୍ରବାର ଏହା ୪୬୮ ଲକ୍ଷ କୋଟି ଟଙ୍କା ଥିଲା।ବଜାରର ଏହି ଅବସ୍ଥା ପଛରେ କିଛି ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଶୁଳ୍କ ଧମକ ଦେଇ ବିଶ୍ୱ ବଜାରରେ ଅସ୍ଥିରତା ସୃଷ୍ଟି କରିଛନ୍ତି।
ଏହା ସହିତ ବିଦେଶୀ ସଂସ୍ଥାଗତ ନିବେଶକ (FII) ମାନେ ଭାରତୀୟ ବଜାରରୁ ଟଙ୍କା ବାହାର କରୁଥିବାରୁ ବିକ୍ରି ଚାପ ଆଉ ଅଧିକ ବଢ଼ିଛି। ଅନ୍ୟପଟେ, ଅନେକ ବଡ଼ କମ୍ପାନି ତୃତୀୟ ତ୍ରୟମାସରେ ମିଶ୍ର ଆର୍ଥିକ ଫଳାଫଳ ଘୋଷଣା କରିଥିବାରୁ ନିବେଶକଙ୍କ ଆଶା ଭାଙ୍ଗିଯାଇଛି। ଲାଭର ଗତି ହ୍ରାସ, ବ୍ୟୟ ବୃଦ୍ଧି ଓ ଆଗାମୀ ଦିନ ପାଇଁ ସଠିକ୍ ଆଶା ନ ଥିବା ଭଳି କାରଣ ମଧ୍ୟ ବଜାରରେ ନେଗେଟିଭ୍ ମନୋଭାବ ସୃଷ୍ଟି କରିଛି।ବିଶେଷଜ୍ଞମାନେ କହୁଛନ୍ତି ଯେ, ଆଗାମୀ କିଛି ଦିନ ମଧ୍ୟରେ ବିଶ୍ୱ ଆର୍ଥିକ ସଙ୍କେତ ଓ ନିବେଶକଙ୍କ ମନୋଭାବ ଉପରେ ବଜାରର ଦିଗ ନିର୍ଭର କରିବ। ଏପରି ସ୍ଥିତିରେ ନିବେଶକମାନଙ୍କୁ ଆତଙ୍କରେ ବିକ୍ରି ନ କରି, ସଚେତନ ଓ ସତର୍କ ଭାବେ ନିଷ୍ପତ୍ତି ନେବାକୁ ପରାମର୍ଶ ଦିଆଯାଉଛି।

