ନ୍ୟୁଜ ଡେକ୍ସ : ବିଜେଡ଼ି ନେତା ଏବଂ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଘରେ କୌଣସି ସର୍ଚ୍ଚ ୱାରେଣ୍ଟ ବିନା ଯାଞ୍ଚ କରାଯାଇଥିବା ଅଭିଯୋଗରେ ବିବାଦ ସୃଷ୍ଟି ହୋଇଛି। ଏହି ଘଟଣାକୁ “ବେଆଇନ ଓ ଅନୁଚିତ” ବୋଲି ବିବେଚନା କରି, ଶ୍ରୀ ଘଡ଼ାଇ ଭାରତ ନିର୍ବାଚନ ଆୟୋଗ (ECI) ଙ୍କୁ ଚିଠି ଲେଖି ଅଧିକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ନିକଟ ଅତୀତରେ ନୂଆପଡ଼ାର ଖରିଆର ରୋଡ୍ରେ ଥିବା ପ୍ରୀତିରଞ୍ଜନ ଘଡ଼ାଇଙ୍କ ବାସଭବନରେ ପୋଲିସ ଚଢାଉ କରାଯାଇଥିଲା। ସେତେବେଳେ ସେ ଉପନିର୍ବାଚନ ପ୍ରଚାର ଦାୟିତ୍ୱରେ ନୂଆପଡ଼ାରେ ଥିଲେ। ପୋଲିସ ଓ ପ୍ରଶାସନିକ ଦଳ ଘରେ ପ୍ରବେଶ କରିଥିଲା ବେଳେ ଘଡ଼ାଇ ଉପସ୍ଥିତ ନଥିଲେ। ଏହାକୁ ନେଇ ବିଜେଡ଼ି କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା ଓ ବିଜେପି ଜାଣିଶୁଣି ଏପରି କରୁଥିବା ବୋଲି ଅଭିଯୋଗ ହୋଇଥିଲା। ପ୍ରୀତିରଞ୍ଜନ ଘଡ଼ାଇ ନିଜ ଚିଠିରେ ଲେଖିଛନ୍ତି ଯେ, ତାଙ୍କ ଅନୁପସ୍ଥିତିରେ ବିନା ଅନୁମତି ଓ ବିନା ସର୍ଚ୍ଚ ୱାରେଣ୍ଟ ଘରେ ପ୍ରବେଶ କରିବା ହେଉଛି ଆଇନ ଉଲ୍ଲଘନ।
ସେହିପରି ଅଧିକାରୀମାନେ ନିର୍ବାଚନ ସମୟରେ ନିରପେକ୍ଷତା ରକ୍ଷା କରିବା ନଥିବା ଅଭିଯୋଗ ମଧ୍ୟ ଉଠାଇଛନ୍ତି।ଏହାପରେ ବିଜେଡ଼ି ପକ୍ଷରୁ କହାଯାଇଛି ଯେ, ନୂଆପଡ଼ା ଉପନିର୍ବାଚନ ଅବାଧ ଏବଂ ନିରପେକ୍ଷ ହେବା ଉଚିତ। ତେଣୁ ନିର୍ବାଚନୀ ନିୟମ ଉଲ୍ଲଘନ କରିଥିବା ସରକାରୀ ଅଧିକାରୀଙ୍କ ଉପରେ ECI ଶିଘ୍ର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।ଏହି ଘଟଣାରେ ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।

