ନ୍ୟୁଜ ଡେସ୍କ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ଜଣଙ୍କ ପୁଲିସ କର୍ମଚାରୀଙ୍କ ହେବ ପଲିଗ୍ରାଫ ଟେଷ୍ଟ। ପଲିଗ୍ରାଫ୍ ଟେଷ୍ଟ ସହିତ ଆବଶ୍ୟକ ପଡ଼ିଲେ ଲାଏ ଡିଟେକ୍ସନ ଓ ବ୍ରେନ ମ୍ୟାପିଂ ଟେଷ୍ଟ ହୋଇପାରେ। ଏବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିମନ୍ତେ ଆଉ ୪ ନିଲମ୍ବିତ ପୁଲିସ୍ କର୍ମଚାରୀଙ୍କର ବି ହୋଇପାରେ ପଲିଗ୍ରାଫ ଟେଷ୍ଟ ।
ଏଥିନିମନ୍ତେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରାଯାଇଛି | ନିଲମ୍ବିତ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କ ସହମତି ମଗାଯାଇଛି, ଖୁବଶୀଘ୍ର ଏନେଇ କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ପଲିଗ୍ରାଫ୍ ଟେଷ୍ଟ କରାଯିବ। ନିଲମ୍ବିତ ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ଶୈଳମୟୀ ସାହୁ, ଏଏସଆଇ ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦା। ଗତ ୨୫ତାରିଖରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଅନୁମତି ଦେଇଥିଲେ। ଗତ ୨୫ ତାରିଖରେ ସକାଳେ ପ୍ରଥମେ ଭରତପୁର ଥାନାରେ ମେଜର ଓ ପୀଡ଼ିତା ତଦନ୍ତକାରୀ ଟିମ୍ ଆଗରେ ସେଦିନର ଘଟଣା ବାବଦରେ ନିଜ ପକ୍ଷ ରଖିଥିଲେ। ସେଠାରେ ସେମାନଙ୍କୁ ନେଇ ସିନ୍ ରିକ୍ରିଏସନ କରାଯାଇଥିଲା।
ଏହାପରେ ସେମାନଙ୍କୁ ନେଇ ସୁନ୍ଦରପୁର ଯାଇଥିଲା ତଦନ୍ତକାରୀ ଟିମ୍। ସେଠାରେ ରୋଡ୍ ରୋମିଓମାନେ ପୀଡ଼ିତା ଓ ମେଜରଙ୍କୁ ଅଟକାଇଥିଲେ। ଫଳରେ ସେଠାରେ ସେମାନଙ୍କ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ସମସ୍ତ ତଦନ୍ତ ଓ ଯାଞ୍ଚ ପ୍ରକ୍ରିୟାର କ୍ୟାମେରାରେ ରେକର୍ଡ କରାଯାଇଛି। କ୍ରାଇମବ୍ରାଞ୍ଚ ସହିତ ଫୋରେନସିକ୍ ଟିମ୍ ମଧ୍ୟ ଥିଲେ।
